ମୋଦୀଙ୍କ ଅରୁଣାଚଳ ଗସ୍ତକୁ ଚୀନ୍‌ର ବିରୋଧ, ଭାରତ ଦେଲା କଡ଼ା ଜବାବ

ଅରୁଣାଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ, ଚୀନ୍‌ ମୁଣ୍ଡ ପୂରାଇବା ଆବଶ୍ୟକ ନାହିଁ

ନୂଆଦିଲ୍ଲୀ/ବେଜିଂ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ଚୀନ୍‌ ଆଜି ବିରୋଧ କରିବାରୁ ଭାରତ ଏହାର କଡ଼ା ଜବାବ ଦେଇଛି। ଅରୁଣାଚଳ ପ୍ରଦେଶକୁ ଅଧିକ ବିବାଦୀୟ କଲାଭଳି କୌଣସି ପଦକ୍ଷେପ ଭାରତୀୟ ନେତୃତ୍ବ ନନେବା ପାଇଁ ଚୀନ୍‌ କହିଥିବା ବେଳେ ଭାରତ ଏହାର ଜବାବରେ କହିଛି ଯେ ଭାରତର ଏହି ଅବିଚ୍ଛେଦ୍ୟ ଅଂଚଳରେ ଚୀନ୍‌ ଆଦୌ ମୁଣ୍ଡ ପୂରାଇବା ଆବଶ୍ୟକ ନାହିଁ। ଦେଶର ଏହି ଅଭିନ୍ନ ଅଂଗର ସୁରକ୍ଷା ପାଇଁ ଭାରତ ବେଶ୍‌ ସଚେତନ ବୋଲି ଚୀନ୍‌କୁ ଜଣାଇ ଦିଆଯାଇଛି। ଆଜି ପ୍ରଧାନମନ୍ତ୍ରୀ ମୋଦୀ ଅରୁଣାଚଳ ପ୍ରଦେଶରେ ୪ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଥିଲେ। ସୀମାବର୍ତ୍ତୀ ରାଜ୍ୟଗୁଡ଼ିକରେ ଯୋଗାଯୋଗ ବ୍ୟବସ୍ଥାକୁ ଅତ୍ୟନ୍ତ ସୁଦୃଢ଼ କରିବା ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ମୋଦୀ ଏହି ଅବସରରେ ଏକ ଜନସଭାରେ ଉଦ୍‌ବୋଧନ ଦେଇ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅରୁଣାଚଳ ଗସ୍ତକୁ ଦେଖି ଚୀନ୍‌ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ହୁଆ ଚୁନିଂ କହିଛନ୍ତି ଯେ ଚୀନ୍‌-ଭାରତ ସୀମାକୁ ନେଇ ଆମ ସ୍ଥିତି ସ୍ପଷ୍ଟ ରହିଛି ଏବଂ ଆମେ ଅରୁଣାଚଳ ପ୍ରଦେଶକୁ ମାନ୍ୟତା ଦେଇନାହୁଁ। ଉଭୟ ଦେଶର ସ୍ବାର୍ଥକୁ ଦେଖି ଏହି ନୀତିକୁ ସମ୍ମାନ କରାଯିବା ଆବଶ୍ୟକ ବୋଲି ହୁଆ ଚୁନିଂ କହିଥିଲେ। ସୂଚନାଯୋଗ୍ୟ, ଚୀନ୍‌ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ବତର ଏକ ଅଂଚଳ ଭାବେ ଦର୍ଶାଉଛି। ଏହି ସୀମା ବିବାଦ ନେଇ ଭାରତ ଏବଂ ଚୀନ୍‌ ମଧ୍ୟରେ ଏ ପର୍ଯ୍ୟନ୍ତ ୨୧ଟି ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହୋଇଛି । ଚୀନ୍‌ ନିଜ ସ୍ଥିତି ଜାହିର କରିବା ପାଇଁ ଅରୁଣାଚଳକୁ ଭାରତର ଶୀର୍ଷ ନେତୃତ୍ବଙ୍କ ଗସ୍ତକୁ ସର୍ବଦା ବିରୋଧ କରି ଆସୁଛି । ତେବେ ଚୀନ୍‌ ନିଜ ସୀମା ଭିତରେ ରହି ଅରୁଣାଚଳକୁ ଭାରତର ଅଭିନ୍ନ ଅଂଶ ଭାବେ ଗ୍ରହଣ କରବାକୁ ବାଧ୍ୟ ବୋଲି ଭାରତ କହିଛି।

ସମ୍ବନ୍ଧିତ ଖବର