ମାଲେ: ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ସରକାର ଆଜିକାଲି ଚୀନ୍ ଉପରେ ଖୁସି ନୁହଁନ୍ତି। ତେଣୁ ମାଳଦ୍ବୀପରେ ଚୀନ୍ ଦେଇଥିବା ହଜାର ହଜାର ବୋତଲ ତିବ୍ଦତୀୟ ପିଇବା ପାଣି ପଡ଼ି ରହିଛି। ଚୀନ୍ରୁ ଦାନ କରାଯାଇଥିବା ୧,୫୦୦ ଟନ୍ ବୋତଲ ମିନେରାଲ ୱାଟରକୁ ମାଳଦ୍ବୀପ ବ୍ୟବହାର କରୁନାହିଁ। ଏହି ପାଣି ବୋତଲଗୁଡିକ ହୁଲହୁମାଲେରେ ଏକ ଖାଲି ସ୍ଥାନରେ ଦୁଇମାସ ଧରି ଅବହେଳିତ ଭାବେ ପଡ଼ି ରହିଛି। ମାଳଦ୍ୱୀପ ବୈଦେଶିକ ମନ୍ତ୍ରଣାଳୟ ପୂର୍ବରୁ କହିଥିଲା , ଦେଶରେ ଜଳ ଅଭାବ ହେଲେ ଏହି ପାଣି ବୋତଲଗୁଡ଼ିକ ବ୍ୟବହୃତ ହେବ।
ଗଣମାଧ୍ୟମ ଅଧାଧୁଙ୍କ ରିପୋର୍ଟ ଅନୁଯାୟୀ, ହୁଲହୁମାଲେରେ ଥିବା ଏକ ଅସ୍ଥାୟୀ ମସଜିଦ ପରିସରରେ ଚୀନ୍ରୁ ଆସିଥିବା ପାଣି ବୋତଲଗୁଡିକ ପରିତ୍ୟକ୍ତ ଭାବେ ପଡ଼ି ରହିଛି। ଶହ ଶହ ପ୍ୟାଲେଟରେ ପ୍ୟାକ୍ ହୋଇଥିବା କାର୍ଟନଗୁଡିକ କାନଭାସରେ ଆଚ୍ଛାଦିତ ହୋଇଛି।
ଖରାଦିନେ ମାଳଦ୍ବୀପରେ ପାନୀୟ ଜଳ ସରିଯିବ। ଏହା ଦେଶର ପ୍ରତିବର୍ଷର ସମସ୍ୟା ଅଟେ। ୨୦୨୨ ମସିହାରେ ହୋଇଥିବା ଏକ ଅଡିଟ୍ ଅନୁଯାୟୀ, ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଦେଶର ମୋଟ ୩୯୦ ଦ୍ୱୀପପୁଞ୍ଜକୁ ଜଳ ଯୋଗାଇବା ପାଇଁ ମାଳଦ୍ୱୀପ ୪୦,୬୯୬,୭୭୧ ମଳଦ୍ବୀପ ମୁଦ୍ରା ଖର୍ଚ୍ଚ କରିଥିଲା ।
ଅଧ୍ୟୟନରୁ ଜଣାପଡିଛି ଯେ ୨୦୧୪ରେ ୬୧ଦ୍ୱୀପପୁଞ୍ଜକୁ ଜଳ ଯୋଗାଇ ଦିଆଯାଇଥିଲା। ୫ ବର୍ଷ ପରେ, ସରକାର ୨୦୧୯ ରେ ୮୨ ଦ୍ୱୀପକୁ ଜଳ ଯୋଗାଇବା ଆବଶ୍ୟକ କରିଥିଲେ। ଜଳ ଯୋଗାଣ ପାଇଁ ମାଳଦ୍ୱୀପର ଖର୍ଚ୍ଚ ପାଞ୍ଚ ବର୍ଷରେ ୨.୩ ଗୁଣା ବୃଦ୍ଧି ପାଇଛି।
ଚୀନ୍ରୁ ଦାନରେ ଆସିଥିବା ଜଳ କାର୍ଟୁନକୁ ଜନସାଧାରଣଙ୍କ ପାଇଁ ଖୋଲା ସ୍ଥାନରେ ଏତେ ଦିନ ପର୍ଯ୍ୟନ୍ତ ଅବହେଳିତ ରଖିଥିବାରୁ ସରକାର ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ତେବେ ପାଣି ବୋତଲଗୁଡ଼ିକୁ ସୁରକ୍ଷିତ ଭାବରେ ସଂରକ୍ଷଣ କରିବା କିମ୍ବା ବିଭିନ୍ନ ଦ୍ୱୀପପୁଞ୍ଜକୁ ପଠାଇବା ପାଇଁ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନାହାନ୍ତି।