୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ସୂତ୍ରଧରଙ୍କୁ ‘ବ୍ଲାକ୍‌ଲିଷ୍ଟ୍‌’ କରିବା ଲାଗି ଜାତିସଂଘ ପ୍ରସ୍ତାବକୁ ଅଟକାଇଲା ଚୀନ୍‌

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ସୂତ୍ରଧରଙ୍କୁ ବୈଶ୍ବିକ ଆତଙ୍କବାଦୀ ଭାବେ ଘୋ‌ଷଣା କରିବା ପାଇଁ ଜାତିସଂଘ ଆଗତ କରିଥିବା ପ୍ରସ୍ତାବ ଉପରେ ଚୀନ୍‌ ରହିତାଦେଶ ଜାରି କରିଛି।

‘ଲଶ୍କର୍‌-ଏ-ତୈବା’ର ସାଜିଦ୍‌ ମିର୍‌ ନାମକ ଉକ୍ତ ଆତଙ୍କବାଦୀଙ୍କୁ ‘ବ୍ଲାକ୍‌ଲିଷ୍ଟ୍‌’ କରିବା ଲାଗି ଆମେରିକା ଆଗତ କରିଥିବା ଉକ୍ତ ପ୍ରସ୍ତାବର ସହ-ପ୍ରସ୍ତାବକ ଥିଲା ଭାରତ।

ଜାତିସଂଘ ନିରାପତ୍ତା ପରିଷଦ୍‌ର ‘୧୨୬୭ ଅଲ୍‌-କାଏଦା ସାଙ୍କ୍‌ସନ୍‌ସ୍‌ କମିଟି’ରେ ଆଗତ ପ୍ରସ୍ତାବରେ ଆମେରିକା ସାଜିଦ୍‌ ମିର୍‌ଙ୍କ ସମ୍ପତ୍ତି ‘ଫ୍ରିଜ୍‌’ କରିବା, ତା’ର ଭ୍ରମଣ ଉପରେ ରହିତାଦେଶ ଏବଂ ଅସ୍ତ୍ରଶସ୍ତ୍ର କ୍ରୟ କରିବା ଉପରେ ନିଷେଧାଜ୍ଞା ଜାରି କରିବା ଲାଗି କହିଥିଲା। ମିର୍‌ଙ୍କ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ୫ ମିଲିୟନ୍‌ ଡଲାର୍‌ ପୁରସ୍କାର ମଧ୍ୟ ଘୋଷଣା କରିଛି।

ସୂଚନାଯୋଗ୍ୟ, ‘ଫାଇନାନ୍‌ସିଆଲ୍‌ ଆକ୍‌ସନ୍‌ ଟାସ୍କ୍‌ ଫୋର୍ସ’ର (ଏଫ୍‌ଏଏଫ୍‌ଟି) ‘ଗ୍ରେ ଲିଷ୍ଟ୍‌’ରୁ ମୁକୁଳିବାକୁ ଉଦ୍ୟମ କରୁଥିବା ପାକିସ୍ତାନ ଆତଙ୍କବାଦକୁ ପାଣ୍ଠି ଯୋଗାଣ ମାମଲାରେ ଜୁନ୍‌ ମାସରେ ସାଜିଦ୍‌ ମିର୍‌ଙ୍କୁ ୧୫ ବର୍ଷ ଜେଲ୍‌ ଦଣ୍ଡାଦେଶ କରିଥିଲା।

Image Courtesy of The Hindu

କିନ୍ତୁ, ମୁମ୍ବାଇ ଆତଙ୍କବାଦ ଆକ୍ରମଣରେ ମିର୍‌ଙ୍କର ସମ୍ପୃକ୍ତି ଥିଲେ ସୁଦ୍ଧା ପାକିସ୍ତାନ ଏପର୍ଯ୍ୟନ୍ତ ତାଙ୍କୁ ‘ବୁକ୍‌’ କରିନାହିଁ।

ଉଲ୍ଲେଖଯୋଗ୍ୟ, ପାକିସ୍ତାନର ଆତଙ୍କବାଦୀମାନଙ୍କୁ ‘ବ୍ଲାକ୍‌ଲିଷ୍ଟ୍‌’ କରିବା ପାଇଁ ଚଳିତ ବର୍ଷ ଜାତିସଂଘରେ ଆଗତ ସମସ୍ତ ପ୍ରସ୍ତାବ ଉପରେ ଚୀନ୍‌ ରହିତାଦେଶ ଜାରି କରିଛି।

ଗତ ମାସରେ ‘ଜୈଶ୍‌-ଏ-ଅହମଦ୍‌’ର ମୁଖ୍ୟ ମାସୂଦ୍‌ ଆଝାରଙ୍କ ଭାଇ ଅବ୍ଦୁଲ୍‌ ରୌଫ୍‌ ଆଝାର୍‌ ଓ ପାକିସ୍ତାନର ଅନ୍ୟ ଜଣେ ବରିଷ୍ଠ ଆତଙ୍କବାଦୀ ନେତାଙ୍କ ନାମରେ ଆଗତ ଆମେରିକା ସମର୍ଥିତ ପ୍ରସ୍ତାବ ଉପରେ ଚୀନ୍‌ ‘ଟେକ୍ନିକାଲ୍‌ ହୋଲ୍‌ଡ୍‌’ ଲଗାଇଥିଲା।

ଚଳିତ ମାସ ଜୁନ୍‌ ମାସରେ ମଧ୍ୟ ‘୧୨୭୬ ଅଲ୍‌କାଏଦା ସାଙ୍କ୍‌ସନ୍‌ କମିଟି’ରେ ଆତଙ୍କବାଦୀ ଅବ୍‌ଦୁଲ୍‌ ରେହ୍‌ମାନ୍‌ଙ୍କ ନାମରେ ଆମେରିକା ଓ ଭାରତର ମିଳିତ ସମର୍ଥନରେ ଆଗତ ପ୍ରସ୍ତାବ ଉପରେ ମଧ୍ୟ ଚୀନ୍‌ ରହିତାଦେଶ ଜାରି କରିଥିଲା।

ସମ୍ବନ୍ଧିତ ଖବର