ନିମ୍ନମାନର କିଟ୍‌ ଯୋଗାଉଛି ଚୀନ୍‌

ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ୧୭ ତମ ଦେଶ ଭାବେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦,୦୦୦ ପହଞ୍ଚିଛି। ତେବେ ଗୋଟିଏ ପଟେ ଭାରତରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବ‌ା ରୢାପିଟ୍‌ ଟେଷ୍ଟିଂ ପ୍ରକ୍ରିୟା ଏବେ ବାଧାପ୍ରାପ୍ତ ହୋଇଛି। ରୢାପିଡ୍‌ ଟେଷ୍ଟିଂ ପାଇଁ ଚୀନ୍‌ରୁ ଆସିଥିବା ଟେଷ୍ଟ୍‌ କିଟ୍‌ ତ୍ରୁଟିପୂର୍ଣ୍ଣ ବୋଲି ଜଣାପଡ଼ିଛି। ଏହି କିଟ୍‌ ଖରାପ ଥିବାରୁ ଏଥିରେ ଟେଷ୍ଟିଂ ସମ୍ଭବ ନୁହେଁ ଆଇସିଏମ୍‌ଆର୍‌ ଦର୍ଶାଇଛି। ସରକାର ଚୀନ୍‌ ଠାରୁ ୫ ଲକ୍ଷ ଟେଷ୍ଟିଂ କିଟ୍‌ କିଣିଛନ୍ତି। କିନ୍ତୁ ରୢାପିଡ୍‌ ଟେଷ୍ଟ୍‌ ଫଳାଫଳ ଫଳପ୍ରଦ ହେଉନଥିବା ଜଣାପଡ଼ିବା ପରେ ଆଇସିଏମ୍‌ଆର ଚୀନ୍‌ରୁ ଆସିଥିବା ଟେଷ୍ଟିଂ କିଟ୍‌ର ୨ ଦିନ ବ୍ୟବହାର ବନ୍ଦ କରିବାପାଇଁ ରାଜ୍ୟମାନଙ୍କୁ କହିଛନ୍ତି।

ଆଇସିଏମ୍‌ଆର୍‌ର ମୁଖ୍ୟ ମହାମାରୀ ରୋଗ ବିଶେଷଜ୍ଞ ଡ. ଆର ଗଙ୍ଗା‌ଖେଡ଼କର କହିଛନ୍ତି, ଗୋଟିଏ ରାଜ୍ୟରୁ ଆମେ ଟେଷ୍ଟିଂ ଦ୍ବାରା କମ୍‌ ରୋଗୀ ଚିହ୍ନଟ ହେଉଥିବା ଅଭିଯୋଗ ପାଇଥିଲୁ। ଏହାପରେ ଅନ୍ୟ ୩ ରାଜ୍ୟ ସହ ଏନେଇ କଥା ହୋଇଥିଲୁ। କିନ୍ତୁ ବିଭିନ୍ନ ସ୍ଥାନରେ ରୢାପିଡ୍‌ ଟେଷ୍ଟ୍ ପରିଣାମରେ ବହୁତ ଫରକ ରହୁଛି। କିଛି ସ୍ଥାନରେ ଏହା ୬ ପ୍ରତିଶତ ରହୁଥିବାବେଳେ ଆଉ କିଛି ସ୍ଥାନରେ ୭୧ ପ୍ରତିଶତ ରହୁଛି। ଆସନ୍ତା ୨ ଦିନ ମଧ୍ୟରେ ଆଇସିଏମ୍‌ଆର ଏହି ଟେଷ୍ଟ୍‌ ରିପୋର୍ଟର ଆକଳନ କରିବାପାଇଁ ୮ଟି ଟିମ୍‌କୁ ବିଭିନ୍ନ ସ୍ଥାନକୁ ପଠାଇବେ। ଯଦି ଲଗାତାର ଟେଷ୍ଟ୍‌ ରିପୋର୍ଟ ଭୁଲ୍‌ ଆସେ ତେବେ ଏହି କିଟ୍‌ର ନିର୍ମାଣକାରୀ କମ୍ପାନି ସହ ଏହି ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ପ୍ରଥମେ ରାଜସ୍ଥାନ ସରକାର ଏହି ରୢାପିଡ୍‌ ‌ଟେଷ୍ଟ୍‌ କିଟ୍‌ ଭୁଲ୍‌ ଫଳ ଦେଉଥିବା ଅଭିଯୋଗ କରି ଚୀନ୍‌ ନିର୍ମିତ ରୢାପିଡ୍‌ ଟେଷ୍ଟ୍‌ କିଟ୍‌ ବ୍ୟବହାର ବନ୍ଦ କରିଥିଲା। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା କହିଛନ୍ତି ଟେଷ୍ଟ୍‌ କିଟ୍‌ କେବଳ ୫.୪ ପ୍ରତିଶତ ସଠିକ୍‌ ଫଳାଫଳ ପ୍ରଦାନ କରୁଛି। ଖାଲି ରାଜସ୍ଥାନ ନୁହେଁ ପଶ୍ଚିମବଙ୍ଗରୁ ମଧ୍ୟ ଆଇସିଏମ୍‌ଆର ଏନେଇ ଅଭିଯୋଗ ପାଇଛନ୍ତି।

ଚୀନ୍‌ ନିର୍ମିତ ରୢାପିଡ୍‌ କିଟ୍‌ ପ୍ରକୃତରେ ତ୍ରୁଟିପୂର୍ଣ୍ଣ କି ନ‌ା’ ସେନେଇ ମନ୍ଥନ ଆରମ୍ଭ‌ ହୋଇଥିବା ବେଳେ ଚୀନ୍‌ ଉକ୍ତ ପ୍ରସଙ୍ଗରେ ମୁହଁ ଖୋଲିଛି। ଚୀନ୍‌ ଟେଷ୍ଟିଂ କିଟ୍‌ରେ ଯେଉଁ ସମସ୍ୟା ଦେଖାଦେଇଛି ସେହି ସମସ୍ୟାର ସମାଧାନ ପାଇଁ ଚୀନ୍‌ ଭାରତୀୟ କର୍ତ୍ତୃପକ୍ଷଙ୍କ ସହ କାମ କରିବାକୁ ପ୍ରସ୍ତାବ ଦେଇଛି। ଭାରତରେ ଚୀନ୍‌ ଦୂତାବାସ ମୁଖପାତ୍ର ଜି ରଙ୍ଗ୍‌ କହିଛନ୍ତି, ଚୀନ୍‌ ସବୁବେଳେ ଏହାର ରପ୍ତାନି ମେଡିକାଲ ଦ୍ରବ୍ୟର ଗୁଣବତ୍ତାକୁ ଅଧିକ ଗୁରୁତ୍ବ ଦେଇଥାଏ। ଦୂତାବାସ ପକ୍ଷରୁ ଏନେଇ ସମ୍ପୃକ୍ତ ଭାରତୀୟ କର୍ତ୍ତୃପକ୍ଷଙ୍କ ସହ କାମ କରାଯିବ ଏବଂ ଆବଶ୍ୟକ ସହଯୋଗ କରାଯିବ ବୋଲି ଜି ଟ୍ବିଟ୍‌ କରି କହିଛନ୍ତି । ତେବେ ଟେଷ୍ଟ କିଟ୍‌ ତ୍ରୁଟିପୂର୍ଣ୍ଣ ଥିବା ଜଣାପଡ଼ିବାପରେ ଭାରତରେ ଟେଷ୍ଟିଂ ୩୫,୦୦୦ରୁ ୨୭,୫୦୦କୁ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର