ଆଣ୍ଡାମାନରେ ସାମରିକ ଘାଟି ପ୍ରତିଷ୍ଠା ସଂପର୍କରେ ଏହି ପ୍ରତିକ୍ରିୟା ରଖିଲା ଚୀନ

ବେଜିଂ : ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭାରତ ପକ୍ଷରୁ ଏକ ନୌସେନା ଘାଟି ପ୍ରତିଷ୍ଠା କରାଯିବା ସଂପର୍କରେ ଚୀନ ସତର୍କତାର ସହ ପ୍ରତିକ୍ରିୟା ଦେଇଛି । ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭାରତର ଅଂଚଳ, ଏଣୁ ଏଠାରେ ଭାରତ ନିଜର ସାମରିକ ଘାଟି ପ୍ରତିଷ୍ଠା କରିବା ଏକ ସ୍ୱାଭାବିକ ଘଟଣା ବୋଲି ଚୀନ କହିଛି । ଚୀନ ବୈଦେଶିକ ମନ୍ତ୍ରାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ ବିଦେଶୀ ଗଣମାଧ୍ୟମ ଦୁଇ ଦେଶ ମଧ୍ୟରେ ସଂପର୍କକୁ ଉସୁକାଉଛନ୍ତି । ସେମାନେ ଏପରି ଏକ ସ୍ଥିତି ସୃଷ୍ଟି କରୁଛନ୍ତି ଯେପରିକି ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି ।

ଦୁଇଦିନ ତଳେ ଭାରତ ଆଣ୍ଡାମାନ-ନିକୋବର ଦ୍ୱୀପରେ ଭାରତ ନିଜର ତୃତୀୟ ନୌସେନା ଘାଟି ଖୋଲିଛି । ଏହି ନୌସେନା ଘାଟିର ନାମକରଣ କରାଯାଇଛି ଆଇଏନଏସ କୋହାସା । ଏଠାରେ ଯୁଦ୍ଧପୋତ ନିୟୋଜିତ କରାଯିବା ସହିତ ବୁଡା ଜାହାଜ ଓ ଯୁଦ୍ଧବିମାନ ମୁତୟନ କରାଯିବ। ଗୁରୁବାର ଉତ୍ତର ଆଣ୍ଡାମାନର ଦିଗଲିପୁରଠାରେ ନୌସେନା ମୁଖ୍ୟ ଆଡମିରାଲ୍ ସୁନିଲ୍ ଲାମ୍ବା ଏହାକୁ ଉଦଘାଟନ କରିଛନ୍ତି।
ଏହାଦ୍ୱାରା ଭାରତ ମହାସାଗରରେ ଚୀନର ପ୍ରତିଟି ଗତିବିଧି ଉପରେ ନଜର ରଖିପାରିବ ଭାରତ । ନୌସେନା ଅଧିକାରୀଙ୍କ ମୁତାବକ, କୋହାସା ନୌସେନା ଘାଟିରେ ୧୦୦୦ ମିଟର ଦୀର୍ଘ ଏକ ରନୱେ ରହିବ । ପରେ ଏହାକୁ ୩ ହଜାର ମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଯାହାଦ୍ୱାରା ଯୁଦ୍ଧ ବିମାନଗୁଡିକ ବେଶ ସହଜରେ ଏଠାରେ ଅବତରଣ କରିପାରିବ ।

ସମ୍ବନ୍ଧିତ ଖବର