ବେଜିଙ୍ଗ୍: ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଜାପାନ ସହ ବାର୍ଷିକ ମାଲାବାର ନୌସେନା ସମରାଭ୍ୟାସରେ ଅଷ୍ଟ୍ରେଲିଆ ଯୋଗ ଦେବ ବୋଲି ଭାରତର ଘୋଷଣା ଚୀନ୍ର ଧ୍ୟାନ ଆକର୍ଷଣ କରିଛି। ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ନିମନ୍ତେ ଏପ୍ରକାର ସାମରିକ ସହଯୋଗ ସହାୟକ ହୋଇପାରେ ବୋଲି ଭାରତ ଗୁରୁତ୍ବାରୋପ କରି ସୋମବାର ଦିନ ଏହି ଘୋଷଣା କରିଥିଲା।
ଏପରି ଘୋଷଣାର ଅର୍ଥ ହେଉଛି ‘କ୍ବାଡ୍’ ବା ‘ଚତୁର୍ପାକ୍ଷିକ ମେଣ୍ଟ’ର ଚାରି ସଦସ୍ୟ ରାଷ୍ଟ୍ର ଏହି ବିଶାଳ ସମରାଭ୍ୟାସରେ ଯୋଗ ଦେବେ। ଆସନ୍ତା ମାସରେ ବଙ୍ଗୋପସାଗର ଏବଂ ଆରବ ସାଗରରେ ଏହି ସମରାଭ୍ୟାସ ଚାଲିବ। ପୂର୍ବ ଲଦାଖରେ ଚୀନ୍ ସହ ସୀମା ବିବାଦ ଚାଲିଥିବା ବେଳେ ଏହି ବିଶାଳ ନୌସମରାଭ୍ୟାସରେ ଯୋଗ ଦେବାକୁ ଅଷ୍ଟ୍ରେଲିଆର ଅନୁରୋଧକୁ ସମ୍ମାନ ଜଣାଇ ଅଂଶ ଗ୍ରହଣ ନିମନ୍ତେ ଭାରତ ଆମନ୍ତ୍ରଣ କରିଛି। କିନ୍ତୁ, ଚୀନ୍ ଏହି ସମରାଭ୍ୟାସ ଉପରେ ସନ୍ଦେହ ପ୍ରକାଶ କରିଛି। ଚୀନ୍ର ଆଶଙ୍କା ହେଉଛି, ଭାରତ-ପ୍ରଶାନ୍ତମହାସାଗରୀୟ ଅଞ୍ଚଳରେ ତା’ର ପ୍ରଭାବକୁ ସଙ୍କୁଚିତ କରିବାକୁ ଏହି ସମରାଭ୍ୟାସ ଆୟୋଜନ କରାଯାଉଛି।
Image Courtesy of Newstrackଏହି ଘୋଷଣା ଉପରେ ମନ୍ତବ୍ୟ ଦେଇ ଚୀନ୍ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଚାଓ ଲିଜିଆନ୍ ଗଣମାଧ୍ୟମକୁ କହିଛନ୍ତି ଯେ, ଚୀନ୍ ଏହି ଘଟଣା ଉପରେ ଧ୍ୟାନ ଦେଇଛି। ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ନିମନ୍ତେ ଦେଶମାନଙ୍କ ମଧ୍ୟରେ ସାମରିକ ସହଯୋଗ ସହାୟକ ହେବା ଉଚିତ ବୋଲି ଆମେ ମଧ୍ୟ ବିଶ୍ବାସ କରୁ।
ଏଠାର ଉଲ୍ଲେଖ କରଯାଇ ପାରେ ଯେ, ଭାରତ ମହାସାଗରରେ ଭାରତୀୟ ନୌସେନା ଓ ଯୁକ୍ତରାଷ୍ଟ୍ର ଆମେରିକା ନୌସେନାର ଦ୍ବିପାକ୍ଷିକ ସମରାଭ୍ୟାସ ଭାବେ ୧୯୯୨ରେ ମାଲାବାର ସମରାଭ୍ୟାସ ଆରମ୍ଭ ହୋଇଥିଲା। ୨୦୧୫ରେ ଜାପାନ ଏହି ସମରାଭ୍ୟାସର ସ୍ଥାୟୀ ସଦସ୍ୟ ହୋଇଥିଲା। ଏଥିରେ ଯୋଗ ଦେବାକୁ ଗତ ଅଳ୍ପ କିଛି ବର୍ଷ ହେବ ଅଷ୍ଟ୍ରେଲିଆ ଆଗ୍ରହ ପ୍ରକାଶ କରି ଆସୁଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/drill.jpg)