ନୂଆଦିଲ୍ଲୀ: ସୀମାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ଆହ୍ଵାନ ପାଇଁ ଭାରତ ଉସୁକାଉଛି। ତେଣୁ ନିକଟ ଭବିଷ୍ୟତରେ ପୁଣି ଥରେ ୨୦୧୭ ଡୋକଲାମ୍ ପରିସ୍ଥିତିର ପୁନରାବୃତ୍ତି ହେବାକୁ ଯାଉଛି। ଚୀନ୍ ଗଣମାଧ୍ୟମରେ ପ୍ରକାଶିତ ଏଭଳି ସତର୍କତାମୂଳକ ରିପୋର୍ଟ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଥାଉ କି, ଭାରତ ଏବଂ ଭୁଟାନ ଦ୍ୱିପାକ୍ଷିକ ସମ୍ପର୍କରେ ବିଭାଜନ ଆଣିବା ହିଁ ଚୀନ୍ର ରାଜନୈତିକ ଲକ୍ଷ୍ୟ ବୋଲି କିଛି ଦିନ ତଳେ ଭାରତର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍ଏସ୍ଏ) ଶିବଶଙ୍କର ମେନନ୍ ଟିପ୍ପଣୀ କରିଥିଲେ। ସେହିପରି ଚଳିତ ମାସ ପ୍ରଥମାର୍ଦ୍ଧରେ ଭାରତୀୟ ସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ଵତ, ଏନ୍ଏସ୍ଏ ଅଜିତ ଡୋଭାଲ ଓ ବୈଦେଶିକ ସଚିବ ବିଜୟ ଗୋଖଲେ ପ୍ରମୁଖ ଗୋପନରେ ବିବାଦୀୟ ଡୋକ୍ଲାମ୍ ଅଞ୍ଚଳ ଗସ୍ତ କରିବା ସହ ଭୁଟାନ ପ୍ରତିପକ୍ଷଙ୍କ ସହ ଆଲୋଚନା କରି ଫେରିଛନ୍ତି। ତେବେ ଏହାକୁ ନେଇ ଚୀନ ଗଣମାଧ୍ୟମରେ ଏପରି ଡୋକଲାମ୍ ଆଶଙ୍କା ଚର୍ଚ୍ଚା ସାମ୍ପ୍ରତିକ ସ୍ଥିତିରେ ଭାରତ ପାଇଁ ଆହୁରି ସଜାଗ ହେବାକୁ ଖୋରାକ ଯୋଗାଇଛି।
ଚୀନ୍ର ସରକାରୀ ପତ୍ରିକା ଦି ଗ୍ଲୋବାଲ୍ ଟାଇମ୍ସରେ ଗତ ଗୁରୁବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିବାଦୀୟ ସୀମା ଅଞ୍ଚଳକୁ ଭାରତୀୟ ଅଧିକାରୀମାନଙ୍କ ଗୋପନ ଗସ୍ତ ସାଙ୍ଗକୁ ଉତ୍ତେଜନାତ୍ମକ ବୟାନବାଜି ଚୀନ୍ କର୍ତ୍ତୃପକ୍ଷଙ୍କୁ ଗତବର୍ଷର ଡୋକଲାମ୍ ସ୍ଥିତି ଆଣିବାକୁ ବାଧ୍ୟ କରିଛି। ସାଙ୍ଘାଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ ଅଧୀନ ସେଣ୍ଟର ଫର୍ ଏସିଆ-ପାସିଫିକ୍ ଷ୍ଟଡିଜ୍ର ନିର୍ଦ୍ଦେଶକ ଝାଓ ଗାଞ୍ଚେଙ୍ଗ୍ ଗ୍ଲୋବାଲ୍ ଟାଇମ୍ସକୁ ଦେଇଥିବା ବକ୍ତବ୍ୟ ଅନୁଯାୟୀ, ଗତବର୍ଷର ଡୋକଲାମ୍ ସ୍ଥିତି ଭାରତ-ଚୀନ୍ ସମ୍ପର୍କରେ ତିକ୍ତତା ଆଣିଦେଇଥିଲା। ତେବେ ସେହି ଅଚଳାବସ୍ଥା ଅପସରି ଯିବା ପରେ ମଧ୍ୟ ଭାରତ ଲଗାତାର ଉତ୍ତେଜନାମୂଳକ ସଂକେତ ଦେଇ ଚାଲିଛି। ଏହା ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକରୁ ଅଧିକ ତିକ୍ତ କରିବା ସହ ଚୀନ୍କୁ ନକାରାତ୍ମକ ପ୍ରତିକ୍ରିୟା ପ୍ରଦର୍ଶନ ପାଇଁ ବାଧ୍ୟ କରୁଛି। ଫଳ ସ୍ୱରୂପ ଆଗକୁ ଡୋକଲାମ୍ ଘଟଣା ଠାରୁ ଆହୁରି ସାଂଘାତିକ ସ୍ଥିତି ଉପୁଜିବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅରୁଣାଚଳ ପ୍ରଦେଶ ଓ ବିବାଦୀୟ ଦକ୍ଷିଣ ତିବ୍ଦତ ଗସ୍ତକୁ ଚୀନ୍ ବୈଦେଶିକ ମନ୍ତ୍ରୀ ଜେଙ୍ଗ ସୁଆଙ୍ଗ ତୀବ୍ର ବିରୋଧ କରିଥିଲେ। ତଥାକଥିତ ଅରୁଣାଚଳ ପ୍ରଦେଶର ବିବାଦୀୟ ଅଞ୍ଚଳର ପୁନର୍ଗଠନ ପାଇଁ ଚୀନ୍ କର୍ତ୍ତୃପକ୍ଷ ଆଦୌ ଉଦ୍ୟମ କରୁନଥିବା ବେଳେ ସେଠାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ଆଦୌ ସମୀଚୀନ ନୁହେଁ ବୋଲି ସୁଆଙ୍ଗ କହିଥିଲେ। ତେବେ ବର୍ତ୍ତମାନ ସ୍ଥିତିରେ କିଛି ଦିନ ତଳେ ଭାରତ ସୀମାରେ ଚୀନ ପ୍ରତିରକ୍ଷା ବିଭାଗ ପକ୍ଷରୁ ଜେ-୧୦ ଓ ଜେ-୧୧ ପରି ଲଢ଼ୁଆ ବିମାନ ନିୟୋଜନ କରିବା ସହ ବ୍ୟାପକ ସୈନ୍ୟ ଠୁଳ କରି ରଖିଥିବା ଘଟଣା ଭାରତର ଉଦ୍ବେଗ ବଢ଼ାଇ ଦେଇଥିଲା। ଏଥି ସହିତ ନିକଟରେ ଚୀନ୍ ବଛା ବଛା ପଦାତିକ ସୈନିକଙ୍କୁ ବିଶ୍ୱର ସବୁଠୁ ଘାତକ ଆଗ୍ନେୟାସ୍ତ୍ର କ୍ୟୁଟିଏସ୍-୧୧ ପ୍ରଣାଳୀ ଚଳାଇବାର ତାଲିମ ଦେଇ ସୀମାକୁ ପଠାଇବାରେ ଲାଗିଛି।