ହଟ୍ ସ୍ପିଙ୍ଗ୍ସ୍‌ରୁ ହଟିଲା ଚୀନ୍; ପାଙ୍ଗୋଙ୍ଗ୍ ସୋ ଓ ଗୋଗ୍ରା ପୋଷ୍ଟ୍‌ରୁ ଘୁଞ୍ଚିବାକୁ ନାରାଜ

ନୂଆଦିଲ୍ଲୀ: ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା ପାଖରୁ ପରସ୍ପର ପର୍ଯ୍ୟାୟକ୍ରମେ ସୈନ୍ୟ ଅପସାରଣ କରିବାକୁ ଭାରତ ଓ ଚୀନ୍‌ର ସାମରିକ ନେତାମାନେ ରାଜି ହେବାର କିଛି ଦିନ ବିତି ଯାଇଥିଲେ ବି ଯୁଦ୍ଧ ପାଇଁ ଗୁରୁତ୍ବ ଥିବା ପାଙ୍ଗୋଙ୍ଗ୍ ସୋ ହ୍ରଦ ଅଞ୍ଚଳ ଏବଂ ଗୋଗ୍ରା ପୋଷ୍ଟ୍‌ ଅଞ୍ଚଳରୁ ଚୀନ୍ ସୈନ୍ୟ ହଟାଇବାକୁ ମଙ୍ଗୁନାହିଁ।

ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ପାଙ୍ଗୋଙ୍ଗ୍ ସୋ ଅଞ୍ଚଳରେ ଚୀନ୍ ସୈନିକମାନେ ଆଦୌ ଘୁଞ୍ଚୁ ନ ଥିବା ବେଳେ ଗୋଗ୍ରା ପୋଷ୍ଟ୍‌ ଠାରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ମଧ୍ୟ ବନ୍ଦ ରହିଛି। ଶୁଣାଯାଉଛି, ଏହି ସବୁ ଅଞ୍ଚଳ ଉପରେ ଚୀନ୍ ପୁନର୍ବାର ତା’ର ଦାବି ଉପସ୍ଥାପନ କରୁଛି।

କିନ୍ତୁ, ହଟ୍‌ ସ୍ପ୍ରିଙ୍ଗ୍ ଅଞ୍ଚଳରୁ ଚୀନ୍ ସୈନିକମାନଙ୍କୁ ହଟାଇ ନେବାକୁ ସଙ୍କେତ ଦେଇ ସାରିଛି। ଆଜି ସେଠାରୁ ସୈନ୍ୟ ଅପସାରଣ ଆରମ୍ଭ ହେବ।

Image Courtesy of India Today

‌ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ମେ ମାସ ପ୍ରାରମ୍ଭରୁ ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ‌ ରେଖା ଅଞ୍ଚଳର କେତୋଟି ସ୍ଥାନରେ ଭାରତ ଓ ଚୀନ୍‌ର ସୈନିକମାନେ ଭୀଷଣ ସଂଘର୍ଷରେ ଲିପ୍ତ ଥିଲେ। ଉତ୍ତେଜନା ହ୍ରାସ ନିମନ୍ତେ ଦୁଇ ପକ୍ଷଙ୍କ ମଧ୍ୟରେ ବହୁ ପର୍ଯ୍ୟାୟରେ ସାମରିକ ଏବଂ କୂଟନୈତିକ ଆଲୋଚନା ଚାଲିଥିବା ସତ୍ତ୍ବେ ଅଚଳାବସ୍ଥା ବଳବତ୍ତର ରହିଥିଲା।

ଜୁନ୍ ୧୫ ତାରିଖ ଦିନ ଦୁଇ ପକ୍ଷଙ୍କ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିବାରୁ ସୈନ୍ୟ ସଂଘର୍ଷ ଘଟିଥିଲା। ଫଳରେ ଜଣେ କର୍ଣ୍ଣେଲ୍ ପାହ୍ୟାର ଅଧିକାରୀଙ୍କ ସମେତ ଗଲୱାନ୍ ଉପତ୍ୟକାରେ ୨୦ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଚୀନ୍‌ର କେତେକ ଯବାନ ନିହତ ହୋଇଥିଲେ ମଧ୍ୟ ସେ ତା’ର କୌଣସି ସୂଚନା ଦେଉନାହିଁ।

 

ସମ୍ବନ୍ଧିତ ଖବର