ଆମେରିକାର ଅଭିଯୋଗକୁ ଖଣ୍ଡନ କଲା ଚୀନ୍‌ : ଉହାନ ବିଜ୍ଞାନାଗାରରେ ସୃଷ୍ଟି କରାଯାଇନି କରୋନା ଭୂତାଣୁ

ନୂଆଦିଲ୍ଲୀ: ମହାମାରୀ କୋଭିଡ୍–୧୯ ସଂକ୍ରମଣକୁ ପରିଚାଳନା କରିବା ଅବସରରେ ଆମେରିକା ବିଭିନ୍ନ ସମୟରେ ଏଥିପାଇଁ ଚୀନ୍ ଉପରେ ଲଦିଆସୁଥିବା ଦୋଷସବୁକୁ ଚୀନ୍ କର୍ତ୍ତୃପକ୍ଷ ଶନିବାର ଦୃଢ଼ ଭାବେ ଖଣ୍ତନ କରିଛନ୍ତି। ଏହି ଉପଲକ୍ଷେ ଏକ ୩୦ ପୃଷ୍ଠା ବ୍ୟାପୀ ୧୧,୦୦୦ ଶବ୍ଦର ଆଲେଖ୍ୟକୁ ଚୀନ୍ ସରକାର ନିଜର ବୈଦେଶିକ ମନ୍ତ୍ରଣାଳୟର ୱେବସାଇଟ୍‌ରେ ଉପସ୍ଥାପନା କରି ଆମେରିକାର ବିଭିନ୍ନ ନେତୃମଣ୍ତଳୀ ଓ ପଦାଧିକାରୀ ନିକଟ ଅତୀତରେ କରି ଆସିଥିବା ଆକ୍ଷେପଗୁଡି଼କର କଡା଼ ଜବାବ ଦେଇଛନ୍ତି। ‘୨୪ ଦଫା ନିରର୍ଥକ ଆରୋପ’ ନାମକ ଚୀନ୍ ସରକାରଙ୍କ ଏହି ଅଭିଯୋଗ ଖଣ୍ତନପତ୍ରରେ ଆମେରିକା କର୍ତ୍ତୃପକ୍ଷ ବିଭିନ୍ନ ସାମ୍ବାଦିକ ସମ୍ମିଳନୀରେ ଚୀନ୍ ବିରୋଧରେ କରିଥିବା ଦୋଷାରୋପଗୁଡି଼କର ତୀବ୍ର ବିରୋଧ କରିବା ସହ ଟ୍ରମ୍ପ୍ ପ୍ରଶାସନ ଠିକଣା ସମୟରେ ଆବଶ୍ୟକ ତ୍ବରିତ ପଦକ୍ଷେପ ନେବାରେ ଅବହେଳା କରିବାରୁ ଆମେରିକାକୁ ଏପରି କ୍ଷତି ସହିବାକୁ ପଡୁଛି ବୋଲି ପାଲଟା ଦୋଷ ଦିଆଯାଇଛି।

Boing boing

ସୂଚନାଯୋଗ୍ୟ, ଏହି ମହାମାରୀ କୋଭିଡ୍–୧୯ ଅଦ୍ୟାବଧି ୧୩ ଲକ୍ଷ ୭୦ ହଜାର ଆମେରିକା ନାଗରିକଙ୍କୁ ଆକ୍ରାନ୍ତ କରିବା ସହ ସେମାନଙ୍କ ଭିତରୁ ୮୧ ହଜାରରୁ ଅଧିକଙ୍କର ଜୀବନ ନେଇସାରିଛି। ତେବେ ଏପରି ଭୟାବହ ପରିଣତି ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମେତ ପରରାଷ୍ଟ୍ର ସଚିବ ମାଇକ୍ ପମ୍ପିଓ ଏବଂ ଅନ୍ୟ ଅଧିକାରୀମାନେ ଚୀନ୍‌ର କରୋନା ସଂକ୍ରାନ୍ତ ଗୋପନୀୟତାକୁ ଦାୟୀ କରିଚାଲିଛନ୍ତି। ସେଠାକାର କମ୍ୟୁନିଷ୍ଟ ସରକାର କରୋନା ଭୂତାଣୁ ବିଷୟରେ ବିଭିନ୍ନ ଦ୍ବନ୍ଦ୍ବାତ୍ମକ ତଥ୍ୟ ପରିବେଷଣ କରି ଆମେରିକାବାସୀ ଏବଂ ବିଶ୍ବର ଶ୍ରେଷ୍ଠ ବୈଜ୍ଞାନିକମାନଙ୍କୁ ଭ୍ରମିତ କରିଚାଲିଛନ୍ତି ବୋଲି ଆମେରିକା ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଆସିଛି। ଏ ପରିପ୍ରେକ୍ଷୀରେ ଚୀନ୍ ସରକାର ସ୍ପଷ୍ଟ କରିଛନ୍ତି ଯେ ଆମେରିକା ଅଯଥାରେ ଏଭଳି ଅମୂଳକ ତଥା ଭିତ୍ତିହୀନ ଆକ୍ଷେପ କରୁଛି। ବିଶ୍ବ ସମୁଦାୟ ଆମେରିକା କଥାରେ ଢଳି ନଯାଇ ସତ୍ୟାସତ୍ୟ ପରୀକ୍ଷା କରନ୍ତୁ ବୋଲି ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚ୍ୟୁନିଂ ଏକ ସାମ୍ବାଦିକ ସମ୍ମିଳନୀରେ ଆହ୍ବାନ କରିଛନ୍ତି। ସେହିପରି କରୋନା ଭୂତାଣୁ ସାର୍ସ–କୋଭ୍–୨କୁ ଉଦ୍ଦେଶ୍ୟମୂଳକ ଭାବେ ଉହାନ ବିଜ୍ଞାନାଗାରରେ ସୃଷ୍ଟି କରାଯାଇଛି ବୋଲି ଆମେରିକା କରୁଥିବା ଅଭିଯୋଗକୁ ମଧ୍ୟ ଚ୍ୟୁନିଂ ଖଣ୍ତନ କରିଛନ୍ତି।

ସମ୍ବନ୍ଧିତ ଖବର