କରୋନା ଭୁତାଣୁର ଉଦ୍ଭବ ସମ୍ପର୍କରେ ପୁଣି ତଦନ୍ତ ପାଇଁ ରାଜି ହେଉନି ଚୀନ

ବେଜିଂ : କରୋନା ଭୁତାଣୁର ଉତ୍ପତ୍ତି ସମ୍ପର୍କରେ ପୁଣି ଥରେ ତଦନ୍ତ ଅନୁମତି ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ ) କରିଥିବା ଅନୁରୋଧକୁ ଚୀନ ପ୍ରତ୍ୟାଖ୍ୟାନ କରିଦେଇଛି । ପୂର୍ବରୁ ହୋଇଥିବା ତଦନ୍ତ ଯଥେଷ୍ଟ ବୋଲି ଚୀନ କହିଛି ।

ଚୀନର ଉହାନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା କରୋନା ଭୁତାଣୁ ସମ୍ପର୍କିତ ମୌଳିକ ତଥ୍ୟ ପ୍ରଦାନ ପାଇଁ ଗତକାଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଚୀନକୁ ଅନୁରୋଧ କରାଯାଇଥିଲା । ଏହା ଦ୍ବାରା ତଦନ୍ତକୁ ପୁଣି ଥରେ ଆରମ୍ଭ କରାଯାଇପାରିବ ବୋଲି ଡବ୍ଲୁଏଚଓ କହିଥିଲା । କିନ୍ତୁ ଏହାର ଜବାବରେ ଚୀନ ପକ୍ଷରୁ କୁହାଯାଇଛି ଯେ ପୂର୍ବରୁ ହୋଇଥିବା ତଦନ୍ତ ଯଥେଷ୍ଟ । ପୁଣି ଥରେ ତଦନ୍ତ କରାଯ଼ିବା ପଛରେ ବୈଜ୍ଞାନିକ ଅନୁସନ୍ଧାନ ବଦଳରେ ରାଜନୀତି ରହିଛି । ଏଣୁ ଏଥିପାଇଁ ଅନୁମତି ଦିଆଯାଇପାରିବ ନାହିଁ ।

ଚୀନରେ କରୋନା ଭୁତାଣୁର ଉଦ୍ଭବ ସମ୍ପର୍କରେ ତଦନ୍ତ ପାଇଁ ଡବ୍ଲୁଏଚଓର ଏକ ଦଳ ଗତ ଜାନୁଆରି ମାସରେ ଚୀନର ସହର ଉହାନ ଯାଇଥିଲା । ତେବେ ଏହି ତଦନ୍ତକାରୀ ଦଳ ଭୁତାଣୁର ଉଦ୍ଭବ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚିପାରିନଥିଲା ।

ସମ୍ବନ୍ଧିତ ଖବର