ଗଲଓ୍ବାନ ସଂଘର୍ଷର ଭିଡିଓ ଜାରି କଲା ଚୀନ; କହିଲା, ଭାରତୀୟ ସୈନ୍ୟମାନେ ତାଙ୍କ ଅଞ୍ଚଳରେ ଅନୁପ୍ରବେଶ କରିଥିଲେ

ନୂଆଦିଲ୍ଲୀ : ଗଲଓ୍ବାନ ଉପତ୍ୟାକାରେ ଗତ ବର୍ଷ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷର ଭିଡିଓ ଜାରି କରିଛି ଚୀନ । ଏହି ଭିଡିଓ ମାଧ୍ୟମରେ  ଦେଖାଯାଉଛି ଯେ ଶତାଧିକ ଭାରତୀୟ ଓ ଚୀନ ସୈନ୍ୟ ସଂଘର୍ଷରେ ଲିପ୍ତ ଅଛନ୍ତି ।

ଗତ କାଲି ଚୀନ ସରକାର କହିଥିଲେ ଯେ ଗତ ବର୍ଷ ଜୁନମାସରେ ଗଲଓ୍ବାନ ଉପତ୍ୟାକାରେ ହୋଇଥିବା ସଂଘର୍ଷରେ ୪ ଜଣ ଚୀନ ସୈନ୍ୟ ପ୍ରାଣ ହରାଇଥିଲେ । ଏହାର ଦିନକ ପରେ ଅର୍ଥାତ ଆଜି ଚୀନ ଏହି ଭିଡିଓ ଜାରି କରିବା ବିଶେଷଜ୍ଞମାନଙ୍କୁ ଚକିତ କରିଛି । ଏହି ଭିଡିଓ ମାଧ୍ୟମରେ ଚୀନ ପୁଣି ଏକ ଅପପ୍ରଚାର ଆରମ୍ଭ କରିଦେଇଛି । ଏହା ମାଧ୍ୟମରେ ଚୀନ  ଦେଖାଇବାକୁ ଚାହୁଁଛି ଯେ ଭାରତୀୟ ସୈନ୍ୟମାନେ ଚୀନ ନିୟନ୍ତ୍ରିତ ଅଞ୍ଚଳରେ ବଳପୂର୍ବକ ପ୍ରବେଶ କରି ଏହି ସଂଘର୍ଷ ଘଟାଇଥିଲେ ଓ ଚୀନ ସୈନ୍ୟମାନେ ନିଜକୁ ସୁରକ୍ଷା କରିବାକୁ ଯାଇ ମୃତ୍ୟୁବରଣ କରିଥିଲେ ।

ଗଲଓ୍ବାନ ସଂଘର୍ଷରେ ୨୦ ଜଣ ଭାରତୀୟ ସୈନ୍ୟ ସହିଦ ହୋଇଥିଲେ । ତେବେ ଏ ସମ୍ପର୍କରେ ଚୀନ କିଛି କହୁନଥିଲା । କିଛିଦିନ ତଳେ ଋଷିଆର ସରକାରୀ ନିୟନ୍ତ୍ରଣାଧୀନ ଖବର ସରବରାହ ସଂସ୍ଥା ଟାସ୍ ରିପୋର୍ଟ ପ୍ରକାଶ କରିଥିଲା ଯେ ଏହି ସଂଘର୍ଷରେ ୪୫ ଜଣ ଚୀନ ସୈନିକ ପ୍ରାଣ ହରାଇଥିଲେ ।  ଆହୁରି ମଧ୍ୟ ଭାରତୀୟ ସେନାର ଜଣେ ବରିଷ୍ଠ କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ଓ୍ବାଇ.କେ.ଜୋଷୀ କହିଥିଲେ ଯେ ଗଲଓ୍ବାନ ଘଟଣାରେ ଚୀନର ପ୍ରାୟ ୪୫ ଜଣ ସୈନ୍ୟ ମୃତ୍ୟୁବରଣ କରିଥିଲେ । ଏହା ପରେ ଚୀନ ବାଧ୍ୟ ହୋଇ ନିଜର ସୈନ୍ୟ ମରିଥିବା ସ୍ବୀକାର କରିଥିଲା । ମାତ୍ର ଏହି ସଂଖ୍ୟାକୁ କମ କରି ଦର୍ଶାଇଥିଲା।

ସମ୍ବନ୍ଧିତ ଖବର