ତାଇଓ୍ବାନକୁ ନିଶ୍ଚିତ ଅଧିକାର କରାଯିବ, ଆବଶ୍ୟକ ପଡ଼ିଲେ ବଳପ୍ରୟୋଗ କରାଯିବ : ଚୀନ ସରକାରଙ୍କ ଶ୍ବେତପତ୍ର

ବେଜିଂ : ତାଇଓ୍ବାନ ଉପକୂଳରେ ବୃହତ ସମରାଭ୍ୟାସ କରିବା ପରେ ଚୀନ ସରକାର ଏକ ଶ୍ବେତପତ୍ର ପ୍ରକାଶ କରିଛନ୍ତି । ଏହାର ଶୀର୍ଷକ ରହିଛି “ତାଇଓ୍ବାନ ପ୍ରଶ୍ନ ଓ ନୂଆ ଯୁଗରେ ଚୀନର ଏକୀକରଣ “ ।

ଏହି ଶ୍ବେତପତ୍ରରେ ଚୀନ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ, ତାଇଓ୍ବାନ ପ୍ରଶ୍ନର ସମାଧାନ ଓ ଚୀନର ସଂପୂର୍ଣ୍ଣ ଏକୀକରଣକୁ ସାକାର କରିବା ଚୀନବାସୀଙ୍କ ସ୍ବପ୍ନ ରହିଆସିଛି । ଚୀନର ପୁନରୁତଥାନ ପାଇଁ ଚୀନର ସଂପୂର୍ଣ୍ଣ ଏକୀକରଣ ଜରୁରୀ ।  ପୁରୁଣା କାଳରୁ ତାଇଓ୍ବାନ ଚୀନର ଏକ ଅଂଶ ଭାବେ ରହିଆସିଛି ଓ ଇତିହାସ ଏହା କହୁଛି ।

ଏହି ଶ୍ବେତପତ୍ରରେ ଆହୁରି ମଧ୍ୟ କୁହାଯାଇଛି ଯେ, ଚୀନ ସହିତ ତାଇଓ୍ବାନର ଏକୀକରଣକୁ ଶାନ୍ତିପୂର୍ଣ୍ଣ ଉପାୟରେ ସାକାର କରିବା ଉପରେ ଚୀନ ସରକାର ଗୁରୁତ୍ବ ଦେଉଛନ୍ତି । ମାତ୍ର କେତେକ ବାହ୍ୟ ଶତ୍ରୁ ତାଇଓ୍ବାନକୁ ଚୀନ ବିରୋଧରେ ଉସୁକାଉଛନ୍ତି । ସେମାନଙ୍କୁ ବଳ ପ୍ରୟୋଗ କରି ଜବାବ ଦିଆଯିବ ।

ସୂଚନାଯୋଗ୍ୟ ଯେ, ୧୯୪୯ରେ ଚୀନରେ ହୋଇଥିବା ଗୃହଯୁଦ୍ଧ ପରେ ତାଇଓ୍ଵାନ ଚୀନଠାରୁ ଅଲଗା ହୋଇ ନିଜକୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିଥିଲା । କିନ୍ତୁ ସାମ୍ରାଜ୍ୟବାଦୀ ଚୀନ କ୍ଷୁଦ୍ର ଦ୍ୱୀପ ଦେଶ ତାଇଓ୍ଵାନକୁ ନିଜର ଅଂଶ ବୋଲି ଦାବି କରୁଛି ଓ ଦିନେ ନା ଦିନେ ଏହାକୁ ଅଧିକାର କରିବାକୁ ସ୍ୱପ୍ନ ଦେଖୁଛି । ତାଇଓ୍ଵାନକୁ ଚୀନ ଅଧିକାର କରିବା ବିଷୟରେ ରାଷ୍ଟ୍ରପତି ସି ଜିନ ପିଂ ସ୍ପଷ୍ଟ ସଂକେତ ଦେଇସାରିଛନ୍ତି ।

 

 

ସମ୍ବନ୍ଧିତ ଖବର