ଅରୁଣାଚଳ ପ୍ରଦେଶର ୧୫ଟି ସ୍ଥାନର ନାମକରଣ କଲା ଚୀନ, ଭାରତର ବିରୋଧ

ନୂଆଦିଲ୍ଲୀ : ଭାରତ ସହ ନିଜର ସମ୍ପର୍କରେ ଆହୁରି ତିକ୍ତତା ଆଣିଛି ବେଜିଂ ।  ଭାରତୀୟ ରାଜ୍ୟ ଅରୁଣାଚଳ ପ୍ରଦେଶର ଆଉ ୧୫ଟି ସ୍ଥାନର ଚାଇନିଜ୍ ନାଁ  ପ୍ରଦାନ କରିଛି ଚୀନ । ଏହାକୁ ଭାରତ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି ।

ଚୀନର ସିଭିଲ ଆଫାୟାର୍ସ ମନ୍ତ୍ରାଳୟ ପକ୍ଷରୁ ଏସବୁ ନାମକରଣ କରାଯାଇଛି । ଏହି ୧୫ଟି ସ୍ଥାନ ମଧ୍ୟରୁ ୮ଟି ଆବାସିକ ଅଂଚଳ ଥିବାବେଳେ ୪ଟି ପର୍ବତ, ୨ଟି ନଦୀ ଓ ଗୋଟିଏ ଗିରିପଥ ରହିଛି । ମାଣ୍ଡାରିନ, ତିବ୍ବତୀୟ ଭାଷା ଓ ରୋମାନ ଅକ୍ଷର ବ୍ୟବହାର କରି ଏସବୁ ନାମକରଣ କରାଯାଇଛି । ପୂର୍ବରୁ ଗତ ୨୦୧୭ରେ ମଧ୍ୟ ଚୀନ ଅରୁଣାଚଳପ୍ରଦେଶର ୬ଟି ସ୍ଥାନର ନିଜସ୍ବ ସରକାରୀ ନାମ ପ୍ରଦାନ କରିଥିଲା । ସେତେବେଳେ ମଧ୍ୟ ଭାରତ ସରକାର ଏହାର ବିରୋଧ କରିଥିଲେ ।

ସୂଚନାଯୋଗ୍ୟ ଯେ, ଭାରତର ଅରୁଣାଚଳ ପ୍ରଦେଶ ରାଜ୍ୟକୁ ଚୀନ ଦକ୍ଷିଣ ତିବ୍ବତର ଅଂଶ ବୋଲି କହୁଛି । ଅରୁଣାଚଳ ପ୍ରଦେଶକୁ ଜଙ୍ଗନାନ ବୋଲି କହୁଛି । ଅରୁଣାଚଳ ପ୍ରଦେଶକୁ କୌଣସି ଭାରତୀୟ ଅଥବା ବିଦେଶୀ ନେତା ଗଲେ ଚୀନ ବିରୋଧ କରିଥାଏ ।

ଲଦାଖର ଗଲଓ୍ବାନଠାରେ ଗତ ବର୍ଷ ହୋଇଥିବା ଭାରତ-ଚୀନ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ସଂପର୍କ ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି । ପ୍ରକୃତ ନିୟନ୍ତ୍ରଣ ରେଖା ଓ ଅନ୍ତର୍ଜାତୀୟ ସୀମାର କେତେକ ଅଂଚଳରେ ଏବେ ବି ଦୁଇ ଦେଶର ସୈନ୍ୟ ମହଜୁଦ ଅଛନ୍ତି ।

 

ସମ୍ବନ୍ଧିତ ଖବର