କରୋନାଭାଇରସର ଉତ୍ପତ୍ତିସ୍ଥଳ ଊହାନରେ ଆରମ୍ଭ ହେଲା ବସ୍ ଚଳାଚଳ

ବେଜିଙ୍ଗ୍: କରୋନାଭାଇରସ୍ ମହାମାରୀର ଉତ୍ପତ୍ତିସ୍ଥଳ ଊହାନରେ ବୁଧବାର ଦିନ ପୁନର୍ବାର ବସ୍ ଚଳାଚଳ ଆରମ୍ଭ କରିଛି । ୯ ସପ୍ତାହ ଲକଡାଉନରେ ରହିବା ପରେ ଆଜି ପ୍ରଥମ କରି ସେଠାରେ ବସ୍ ସେବା ଆରମ୍ଭ ହୋଇଛି ।

ଜାନୁଆରି ୨୩ ତାରିଖ ପରେ ଆଜି ପ୍ରଥମ କରି ବୁଧବାର ଭୋର୍ ୫: ୨୫ରେ ହାଙ୍କୋଉ ରେଳବାଇ ଷ୍ଟେସନଠାରେ ଥିବା ଟର୍ମିନସରୁ ବସ୍ ଯାତ୍ରା ଆରମ୍ଭ କରିଛି ।
ଊହାନ୍ ସହରର ସମୁଦାୟ ୧୧୭ଟି ବସ୍ ରୁଟରେ ଚଳାଚଳ ଆରମ୍ଭ କରାଯାଇଛି । ଏହା ହେଉଛି ସହରର ସମୁଦାୟ ବସ୍ ପରିବହନ ସାମର୍ଥ୍ୟର ପ୍ରାୟ ୩୦% ବୋଲି ମୁନିସପାଲ ଟ୍ରାନ୍ସପୋର୍ଟ ବ୍ୟୁରୋ କହିଛି ।

ଡ୍ରାଇଭର୍ ଛଡ଼ା ପ୍ରତ୍ୟେକ ବସରେ ଜଣେ ଲେଖାଏଁ ନିରାପତ୍ତା ସୁପରଭାଇଜର୍ ମଧ୍ୟ ଉପସ୍ଥିତ ଅଛନ୍ତି । ତାଙ୍କର କାମ ହେଲା ବସରେ ଯାତ୍ରା କରୁଥିବା ଯାତ୍ରୀମାନେ ସମସ୍ତ ସୁସ୍ଥ ବୋଲି ନିଶ୍ଚିତ କରାଇବା । ବସ୍ ଚଢ଼ିବା ପୂର୍ବରୁ ସେମାନଙ୍କର ହେଲଥ୍ କୋଡ୍ ଯାଞ୍ଚ କରାଯାଉଛି ।

Image Source: Zee News

୫୬ ନିୟୁତ ଜନସଂଖ୍ୟାବିଶିଷ୍ଟ କେନ୍ଦ୍ରୀୟ ହୁବେଇ ପ୍ରଦେଶରେ ଦୀର୍ଘ ତିନିମାସ ହେବ ଜାରି ହୋଇଥିବା ଲକଡାଉନ୍ ପ୍ରତ୍ୟାହାର କରିବା ନିମନ୍ତେ ମଙ୍ଗଳବାର ଦିନ ଚୀନ୍ ନିଷ୍ପତ୍ତି ନେଇଥିଲା । କିନ୍ତୁ, ୧୧ ନିୟୁତ ଜନତା ବାସ କରୁଥିବା ହୁବେଇର ରାଜଧାନୀ ଊହାନରୁ ଏପ୍ରିଲ୍ ୮ ତାରିଖ ଦିନ ଲକଡାଉନ୍ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯିବ ।

ଆଜି କିନ୍ତୁ, ଊହାନ୍ ବାହାରେ ଆହୁରି ୪୭ଜଣ କରୋନାଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା କଥା ଜଣାପଡ଼ିଛି । ହୁବେଇ ଏବଂ ଊହାନରେ କୌଣସି ନୂଆ “କୋଭିଡ୍-୧୯’ କେସ୍ ରିପୋର୍ଟ ହୋଇ ନ ଥିଲେ ମଧ୍ୟ ସେଠାରେ ଚାରିଜଣ ଲୋକ ପ୍ରାଣ ହରାଇଥିବା କଥା ଜାତୀୟ ସ୍ୱାସ୍ଥ୍ୟ କମିସନ୍ କହିଛି । ଏହାକୁ ମିଶାଇ ଚୀନରେ କରୋନାଭାଇରସଜନିତ ମୃତ୍ୟୁସଂ ଖ୍ୟା ୩, ୨୮୧ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର