ଟୋକିଓ : ଟୋକିଓରେ ଆଜି କ୍ବାଡ୍ ଶିଖର ସମ୍ମିଳନୀ ଚାଲିଥିବା ବେଳେ ଜାପାନ ବାୟୁସୀମା ନିକଟରେ ଚୀନ୍ ଏବଂ ରୁଷ୍ର ଯୁଦ୍ଧ ବିମାନ ଉଡ଼ାଇବାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଜାପାନ ମଧ୍ୟ ତ୍ବରିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଚୀନ୍-ରୁଷ୍ ବୋମାବର୍ଷୀ ବିମାନକୁ ଘଉଡ଼ାଇବା ପାଇଁ କେତେକ ଜେଟ୍ ପଠାଇଥିଲା। କ୍ବାଡ୍ ସମ୍ମିଳନୀ ବେଳେ ଚୀନ୍ ଓ ରୁଷ୍ ଯୁଦ୍ଧ ବିମାନ ପଠାଇବା ଘଟଣାକୁ ଜାପାନ କଡ଼ା ବିରୋଧ କରିଛି। ଜାପାନର ପ୍ରତିରକ୍ଷା ମନ୍ତ୍ରୀ ନୋବୁଓ କିଶି କହିଛନ୍ତି, ‘ଆମେରିକା- ଭାରତ-ଅଷ୍ଟ୍ରେଲିଆ-ଜାପାନ’ର ନେତାମାନେ ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗରେ କଥାବାର୍ତ୍ତା କରିବା ସମୟରେ ରୁଷ୍ ଏବଂ ଚୀନ୍ ଜାପାନ୍ ସୀମା ନିକଟରେ ଯୁଦ୍ଧ ବିମାନ ଉଡ଼ାଇବା ଅତ୍ୟନ୍ତ ଚିନ୍ତାଜନକ। ବିଶ୍ବ ନେତାଙ୍କ ସମ୍ମିଳନୀ ସମୟରେ ଏଭଳି ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ କଦାପି ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ରୁଷ୍ ଓ ଚୀନ୍ର ଯୁଦ୍ଧ ବିମାନ ଜାପାନର ବାୟୂସୀମା ଉଲ୍ଲଂଘନ କରିନାହିଁ କିନ୍ତୁ ନଭେମ୍ବର ପରେ ଆଜି ଚତୁର୍ଥ ଥର ପାଇଁ ଜାପାନ୍ ନିକଟରେ ରୁଷ୍ ଏବଂ ଚୀନ୍ର ଯୁଦ୍ଧ ବିମାନ ଉଡ଼ିବା ପରେ ଜାପାନ ଏହାକୁ ଅତି ଗମ୍ଭୀରତାର ସହ ନେଇଛି। ଜାପାନ ସାଗର ଉପରେ ରୁଷ୍ର ୨ ଏବଂ ଚୀନ୍ର ୨ ବୋମାବର୍ଷୀ ବିମାନ ଉଡ଼ାଣରେ ସାମିଲ ହୋଇଥିଲେ। ଏହି ବୋମାବର୍ଷୀ ବିମାନଗୁଡ଼ିକ ପୂର୍ବ ଚୀନ୍ ସାଗରକୁ ମିଳିତ ଉଡ଼ାଣ କରିଛନ୍ତି। ଏହାପରେ ରୁଷ୍ ଏବଂ ଚୀନ୍ର ମୋଟ୍ ୪ଟି ବିମାନ ପୂର୍ବ ଚୀନ୍ ସାଗରରୁ ପ୍ରଶାନ୍ତ ସାଗର ପର୍ଯ୍ୟନ୍ତ ମିଳିତ ଉଡ଼ାଣ କରିଛନ୍ତି।
ଏହି ଉଡ଼ାଣକୁ ନେଇ ଉତ୍ତେଜନା ବଢ଼ିବା ପରେ ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏସିଆ-ପ୍ରଶାନ୍ତ ଅଞ୍ଚଳରେ ରୁଷ୍ ଓ ଚୀନ୍ ପକ୍ଷରୁ ମିଳିତ ପାଟ୍ରୋଲିଂ ଚାଲିଥିଲା ଏଥିରେ ରୁଷ୍ର ଟିୟୁ-୯୫ ଏବଂ ଚୀନ୍ରୁ ସିଆନ୍ ଏଚ୍-୬ ବୋମାବର୍ଷୀ ବିମାନ ସାମିଲ ଥିଲା। ଜାପାନ ସାଗର ଅଂଚଳରେ ଆମର ଉଡ଼ାଣ ଅନ୍ତର୍ଜାତୀୟ ନିୟମ ଆଧାରରେ ହୋଇଥିଲା ବୋଲି ସେ କହିଛନ୍ତି।