ଚୀନ ଆମର ଶତ୍ରୁ ନୁହେଁ : ତାଲିବାନ

କାବୁଲ : ଚୀନ ଆଫଗାନିସ୍ଥାନର ଶତ୍ରୁ ନୁହେଁ ବୋଲି କହିଛି ଆଫଗାନ ତାଲିବାନ । ଚୀନର ସିଜିଆଙ୍ଗ୍ ପ୍ରଦେଶରୁ ଆସୁଥିବା ଉଇଘୁର ଆତଙ୍କବାଦୀମାନଙ୍କୁ ତାଲିବାନ ଆଶ୍ରୟ ଦେବ ନାହିଁ ।

ତାଲିବାନର ମୁଖପାତ୍ର ସୁହେଲ ସାହିନ କହିଛନ୍ତି ଯେ, ତାଲିବାନକୁ ନେଇ ଚୀନ ଚିନ୍ତା କରିବା ଉଚିତ ନୁହେଁ, କାରଣ ଚୀନ ଆଫଗାନିସ୍ଥାନର ଶତ୍ରୁ ନୁହେଁ । ଆଫଗାନିସ୍ଥାନର ପୁନର୍ନିର୍ମାଣ ପାଇଁ ଚୀନର ବଡ଼ ଭୂମିକା ରହିବ ।

ପଶ୍ଚିମ ଚୀନସ୍ଥିତ ସିଜିଆଙ୍ଗ୍ ପ୍ରଦେଶରେ ଥିବା ଉଇଘୁର ଆତଙ୍କବାଦୀମାନେ ଏକ ସ୍ବତନ୍ତ୍ର ପୂର୍ବ ତୁର୍କିସ୍ଥାନ ରାଷ୍ଟ୍ର ଗଠନ ପାଇଁ ହିଂସାକାଣ୍ଡ ଚଳାଉଛନ୍ତି । ପୂର୍ବ ତୁର୍କୀସ୍ଥାନ ଇସ୍ଲାମୀୟ ଆନ୍ଦୋଳନ ନାମକ ଅଲକାଇଦା ସମର୍ଥିତ ସଂଗଠନ ଏହି ହିଂସାକାଣ୍ଡ ଚଳାଉଛି । ଚୀନର ଆଶଙ୍କା ଯେ ଆଫଗାନିସ୍ଥାନରେ ପୁଣି ତାଲିବାନ ଫେରିବା ପରେ ଏହି ଆତଙ୍କବାଦୀମାନେ ଆହୁରି ଶକ୍ତିଶାଳୀ ହେବେ ।

ସୂଚନାଯୋଗ୍ୟ ଯେ, ଯୁଦ୍ଧ ବିଧ୍ବସ୍ତ ଆଫଗାନିସ୍ଥାନରୁ ଆମେରିକୀୟ ସେନା ପ୍ରତ୍ୟାବର୍ତ୍ତନ କରିବା ସମଗ୍ର ବିଶ୍ବରେ ଚର୍ଚ୍ଚାର ବିଷୟ ହୋଇଛି । ନିରାପତ୍ତା ଦୃଷ୍ଟିକୋଣରୁ ଏହି ଘଟଣା ଦକ୍ଷିଣ ଓ ପଶ୍ଚିମ ଏସିଆରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି, କାରଣ ତାଲିବାନ ପୁଣି ଥରେ ଆଫଗାନିସ୍ଥାନର ବିଭିନ୍ନ ଅଂଚଳ ଦଖଲ କରିବା ଆରମ୍ଭ କରିଛି । ଏହା ଫଳରେ ବିଭିନ୍ନ ଦେଶ ଆଫଗାନିସ୍ଥାନରେ ଥିବା ନିଜ ନିଜର ନାଗରିକମାନଙ୍କୁ ଫେରାଇ ନେଉଛନ୍ତି । ନିକଟରେ ଚୀନ ସରକାର ମଧ୍ୟ ଆଫଗାନିସ୍ଥାନରେ ଥିବା ନିଜର ୨୧୦ ଜଣ ନାଗରିକଙ୍କୁ ଫେରାଇ ନେଇଛନ୍ତି ।

ସମ୍ବନ୍ଧିତ ଖବର