ଭାରତୀୟ ଜାହାଜକୁ ବନ୍ଦର ପ୍ରବେଶ ଅନୁମତିରେ ବିଳମ୍ବ ସହ ଭାରତ-ଚୀନ ତିକ୍ତ ସମ୍ପର୍କର କୌଣସି ‘ସମ୍ବନ୍ଧ’ ନାହିଁ: ଚୀନ୍‌

ନୂଆଦିଲ୍ଲୀ: ଚୀନା ବନ୍ଦରରେ ନଙ୍ଗର ପକାଇଥିବା ଦୁଇଟି ଜାହାଜରେ ଅଟକି ରହିଥିବା ଭାରତୀୟ ନାବିକମାନଙ୍କ ପରିସ୍ଥିତି ସହ ଭାରତ ଓ ଅଷ୍ଟ୍ରେଲିଆ ସହ ଚୀନ୍‌ର ତିକ୍ତ ସମ୍ପର୍କ ମଧ୍ୟରେ କୌଣିସ ‘ସମ୍ବନ୍ଧ’ ନାହିଁ ବୋଲି ଶୁକ୍ରବାର ଦିନ ଚୀନ୍‌ କହିଛି।

ଡିସେମ୍ବର ୨୪ ତାରିଖ ଦିନ ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଥିଲା ଯେ, ଚୀନ୍‌ ଜଳରାଶିରେ ନଙ୍ଗର ପକାଇଥିବା ଦୁଇଟି ପଣ୍ୟବାହୀ ପୋତରେ ସମୁଦାୟ ୩୯ଜଣ ଭାରତୀୟ ନାବିକ ଅଟକି ରହିଛନ୍ତି। ଅନ୍ୟ କେତେକ ଜାହାଜରୁ ପଣ୍ୟଦ୍ରବ୍ୟ ନିଷ୍କାସନ ହେଉଥିଲେ ବି ଭାରତୀୟ ନାବିକମାନେ ଥିବା ଉକ୍ତ ଦୁଇ ଜାହାଜରୁ ପଣ୍ୟଦ୍ରବ୍ୟ ନିଷ୍କାସନ ପାଇଁ ଅନୁମତି ମିଳୁନାହିଁ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଥିଲେ ଯେ, ୨୩ଜଣ ଭାରତୀୟ ନାବିକ ଥିବା ପଣ୍ୟବାହୀ ପୋତ ‘ଏମ୍‌ଭି ଜଗ ଆନନ୍ଦ’ ଚୀନ୍‌ର ହୋବେଇ ପ୍ରଦେଶ ଅନ୍ତର୍ଗତ ଜିଙ୍ଗ୍‌ତାଙ୍ଗ୍‌ ବନ୍ଦର ନିକଟରେ ଜୁନ୍‌ ୧୩ରୁ ନଙ୍ଗର ପକାଇଛି।

ସେହିଭଳି ୧୬ଜଣ ଭାରତୀୟ ନାବିକ ଥିବା ଅଷ୍ଟ୍ରେଲୀୟ ପଣ୍ୟବାହୀ ପୋତ ‘ଏମ୍‌ଭି ଆନାସ୍ତାସିଆ’ ଚୀନ୍‌ର କାଓଫେଡିଆନ୍‌ ବନ୍ଦର ନିକଟରେ ସେପ୍ଟେମ୍ବର ୨୦ରୁ ନଙ୍ଗର ପକାଇଛି।

ଏ ସଂକ୍ରାନ୍ତରେ ବେଜିଙ୍ଗ୍‌ସ୍ଥିତ ଭାରତୀୟ ଦୂତାବାସ ଚୀନ୍‌ର ପ୍ରାଦେଶିକ ଏବଂ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ରଖିବା ସହ ଜାହାଜଗୁଡ଼ିକୁ ଡକ୍‌କୁ ଆସିବାକୁ ଓ ନାବିକମାନଙ୍କୁ ଓହ୍ଲାଇବାକୁ ଅନୁମତି ଦେବାକୁ ଅନୁରୋଧ କରୁଛନ୍ତି।

Image Courtesy of Zee News

ଏହି ଘଟଣା ସହ ଭାରତ ଓ ଅଷ୍ଟ୍ରେଲିଆର ସହ ଚୀନ୍‌ର ତିକ୍ତ ସମ୍ପର୍କ ଜଡ଼ିତ କି, ବୋଲି ପଚରା ଯିବାରୁ ଚୀନ୍‌ର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଓ୍ଵାଙ୍ଗ୍‌ େଓ୍ଵନ୍‌ବିନ୍‌ ଗଣମାଧ୍ୟମକୁ କହିଛନ୍ତି ଯେ, କ୍ୱାରେଣ୍ଟିନ୍‌ କଟକଣା ସମ୍ବନ୍ଧରେ ଚୀନ୍‌ର ସ୍ପଷ୍ଟ ସର୍ତ୍ତାବଳୀ ଥିବା କଥା ଆମେ ବାରମ୍ବାର କହିଛୁ।
ସେହି କାରଣରୁ ଆମେ ଭାରତ ସହିତ ଯୋଗସୂତ୍ର ରକ୍ଷା କରିବା ସହ ସେମାନଙ୍କ ଅନୁରୋଧ ରକ୍ଷା କରୁଛୁ ଏବଂ ଅଟକି ରହିଥିବା ନାବିକମାନଙ୍କୁ ଆବଶ୍ୟକ ସହାୟତା ଯୋଗାଉଛୁ। ଅନ୍ୟ ବନ୍ଦରଗୁଡ଼ିକୁ ନାବିକ ଅଦଳବଦଳ ପାଇଁ ଅନୁମତି ମିଳିଛି କିନ୍ତୁ, ଜିଙ୍ଗ୍‌ତାଙ୍ଗ୍‌ ବନ୍ଦର ସେ ଅନୁମତି ତାଲିକାଭୁକ୍ତ ହୋଇନାହିଁ।

ଏଥିରେ ଲଦାଖ ସଂଘର୍ଷ ଯୋଗୁଁ ଭାରତ ଓ ଚୀନ୍‌ର ଦ୍ୱିପାକ୍ଷିକ ସମ୍ପର୍କରେ ସୃଷ୍ଟି ହୋଇଥିବା ତିକ୍ତତା ସହ କୌଣସି ‘ସମ୍ବନ୍ଧ’ ନାହିଁ। ସେହିଭଳି ଜାତୀୟ ନିରାପତ୍ତା କାରଣରୁ କାନବେରା ଚୀନ୍‌ର ହୁଆଓ୍ଵଇ ଟେଲି ଯୋଗାଯୋଗର ୫-ଜି ନେଟ୍‌ଓ୍ଵାର୍କ ନିଷିଦ୍ଧ କରିବାରୁ ଅଷ୍ଟ୍ରେଲିଆ ଓ ଚୀନ୍‌ ମଧ୍ୟରେ ଉପୁଜିଥିବା ବିବାଦ ସହ ମଧ୍ୟ ଏହାର କୌଣସି ସମ୍ପର୍କ ନାହିଁ ବୋଲି ଚୀନ୍‌ କହିଛି।

ସମ୍ବନ୍ଧିତ ଖବର