ନୂଆଦିଲ୍ଲୀ : ଚୀନ ନିଜର ବନ୍ଧୁରାଷ୍ଟ୍ର ପାକିସ୍ତାନକୁ ପ୍ରାୟ ୫୦ଟି ଲଢୁଆ ଡ୍ରୋନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିବା ଗ୍ଲୋବାଲ ଟାଇମ୍ସ ପ୍ରକାଶ କରିଛି । ପାକିସ୍ତାନକୁ ଏସବୁ ଲଢୁଆ ଡ୍ରୋନ ପ୍ରଦାନ କରି ଚୀନ ଭାରତ ଉପରେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରୁଛି ।
ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁସାରେ ପାକିସ୍ତାନକୁ ୫୦ଟି ‘ଓ୍ବିଙ୍ଗ ଲୁଙ୍ଗ-୨’ ଲଢୁଆ ଡ୍ରୋନ ବିକ୍ରି ଭାରତର ନିଦ ହଜାଇ ଦେବ । କାରଣ ଆଧୁନିକ ଯୁଦ୍ଧକ୍ଷେତ୍ରଗୁଡ଼ିକରେ ଡ୍ରୋନଗୁଡ଼ିକର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି । ଆଫଗାନିସ୍ତାନ, ଇରାକ ନିକଟରେ ହୋଇଥିବା ଅଜରବୈଜାନ-ଆର୍ମେନିଆ ଲଢେଇରେ ଡ୍ରୋନଗୁଡ଼ିକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ । ଏଣୁ ୫୦ଟି ଡ୍ରୋନ ଆସିବା ପରେ ପାକିସ୍ତାନ ଭାରତ ତୁଳନାରେ ସୁବିଧାଜନକ ସ୍ଥିତିରେ ରହିବ । ଭାରତୀୟ ସେନାର ଗ୍ରାଉଣ୍ଡ ଫର୍ମେସନ ଏତେ ସଂଖ୍ୟକ ଡ୍ରୋନର ମୁକାବିଲା କରିପାରିବ ନାହିଁ ବୋଲି ଗ୍ଲୋବାଲ ଟାଇମ୍ସ କହିଛି ।
ତେବେ ଭାରତୀୟ ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି ଯେ ଡ୍ରୋନ ଯୁଦ୍ଧରେ ଆମେରିକାକୁ ସଫଳତା ମିଳିଥିଲା କାରଣ ଆମେରିକା ନିଜର ଶକ୍ତିଶାଳୀ ବାୟୁସେନା ଦ୍ବାରା ସଂପୃକ୍ତ ଯୁଦ୍ଧକ୍ଷେତ୍ର ( ଇରାକ, ଆଫଗାନିସ୍ତାନ) ଗୁ଼ଡ଼ିକର ବାୟୁସୀମାକୁ ନିୟନ୍ତ୍ରଣ କରୁଥିଲା । ପାକିସ୍ତାନ ଯଦି ଏପରି ଦୁଃସାହସ କରିବ ତେବେ ଡ୍ରୋନଗୁଡ଼ିକୁ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ହିଁ ଖସାଇଦିଆଯିବ ।
ଅନ୍ୟ କେତେକ ବିଶେଷଜ୍ଞଙ୍କ ମତରେ ଆଜିକାଲି ଡ୍ରୋନଗୁଡ଼ିକ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଭାରତକୁ ତୁରନ୍ତ ଲଢୁଆ ଡ୍ରୋନ ନିଜ ସାମରିକ ଶକ୍ତିରେ ସାମିଲ କରିବା ଉଚିତ । ଆମେରିକାରୁ ପ୍ରିଡେଟର ଡ୍ରୋନ କିଣିବାକୁ ଭାରତ ଏବେ କଥାବାର୍ତ୍ତା ଚଳାଇଛି ।