କଲମ୍ବୋ : ଚୀନ ନୌସେନାର ଆଉ ଏକ ଯୁଦ୍ଧ ଜାହାଜ ଭାରତୀୟ ଜଳସୀମା ନିକଟରେ ପହଞ୍ଚିଛି । ଏହି ଜାହାଜଟି ଶ୍ରୀଲଙ୍କାର କଲମ୍ବୋ ବନ୍ଦରରେ ପହଞ୍ଚିବା ପରେ ଭାରତର ଚିନ୍ତା ବଢିଯାଇଛି ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୀନର ଯୁଦ୍ଧ ଜାହାଜ ହାଇ ୟାଙ୍ଗ ୨୪ ହାଓ ଗୁରୁବାର ଦିନ କଲମ୍ବୋ ବନ୍ଦରରେ ପହଞ୍ଚିଥିଲା । ଏହା ଆସନ୍ତା ଶନିବାର ଦିନ କଲମ୍ବୋ ଛାଡ଼ିବ । ତେବେ ଏହି ଜାହାଜକୁ ନେଇ ଭାରତର ଚିନ୍ତା ବଢିଯାଇଛି । କାରଣ ଏହା ଚୀନର ପିପୁଲ୍ସ ଲିବରେସନ ଆର୍ମି ନେଭିର ଏକ ଯୁଦ୍ଧ ଜାହାଜ । ଏଥିରେ ୧୩୪ ଜଣ ନୌସେନା କର୍ମଚାରୀ ଅଛନ୍ତି ଓ ଏଥିରେ ଗୁପ୍ତଚରବୃତ୍ତି କରିବାକୁ ସବୁ ପ୍ରକାରର ଉପକରଣ ଲାଗିଛି । କମାଣ୍ଡର ଜିନ ସିନ ଏହାର ମୁଖ୍ୟ ଅଛନ୍ତି ।
ଏଥିରେ ଅତ୍ୟାଧୁନିକ ଗୁପ୍ତଚର ଉପକରଣ ଲାଗିଥିବାରୁ ଏହା ଭାରତର ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ନିଜର ରଖିବାକୁ ସକ୍ଷମ । ଏହି କାରଣରୁ ଭାରତର ଚିନ୍ତା ବଢିଯାଇଛି ।
ଅନ୍ୟ ଏକ ସୂଚନା ଅନୁସାରେ ଏହି ଜାହାଜଟି ଆଉ କିଛିଦିନ ପୂର୍ବରୁ ଆସି ଶ୍ରୀଲଙ୍କାରେ ଡେରା ପକାଇଥାନ୍ତା । କିନ୍ତୁ ଭାରତର ଚିନ୍ତା ପ୍ରକାଶ ପରେ ଶ୍ରୀଲଙ୍କା ଏହାକୁ ଅନୁମତି ଦେବାକୁ ବିଳମ୍ବ କରିଥିଲା । ପରେ ଏହାକୁ ଅନୁମତି ଦିଆଯାଇଥିଲେ ବି ମାତ୍ର ୩ ଦିନ ପାଇଁ ରହିବାକୁ ଅନୁମତି ଦିଆଯାଇଛି ।
ଗତ ବର୍ଷ ଆସିଥିବା ଚୀନର ଗୁପ୍ତଚର ଜାହାଜ ଉଆଙ୍ଗ ୟାଙ୍କ-୫ କୁ ନେଇ ମଧ୍ୟ ଭାରତ ଚିନ୍ତା ପ୍ରକଟ କରିଥିଲା ।