ବିବାଦୀୟ କ୍ଷେତ୍ରରେ ସ୍ଥିତାବସ୍ଥା ବଜାୟ ରଖୁ ଚୀନ : ଭାରତ

ବେଜିଂ: ଭାରତର ସେନାଧ୍ୟକ୍ଷ ଡୋକଲାମ ଘଟଣାକୁ ଏକ ଚିନ୍ତା ଜନକ ଘଟଣା କହୁଥିବାବେଳେ ବୈଦେଶିକ ମନ୍ତ୍ରାଳୟ ବୋଧହୁଏ ଏହାକୁ ଭୁଲି ଆଗେଇବାକୁ ଚାହୁଁଛି । ଡୋକଲାମ ଘଟଣାକୁ ବଢେଇ ଚଢେଇ କୁହାଯାଉଛି ବୋଲି ଚୀନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଗୌତମ ଭମବାଲେ କହିଛନ୍ତି । ତେବେ ଚୀନ ମଧ୍ୟ ବିବାଦୀୟ ଅଞ୍ଚଳ ଗୁଡ଼ିକରେ ସ୍ଥିତାବସ୍ଥା ରଖୁ ବୋଲି ସେ କହିଛନ୍ତି ।

ଚୀନ ସରକାରଙ୍କ ନିୟନ୍ତ୍ରଣାଧୀନ ଗ୍ଲୋବାଲ ଟାଇମ୍ସକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଡୋକଲାମ ଘଟଣା ସେପରି କିଛି ଏକ ଗୁରୁତର ଘଟଣା ନୁହେଁ । ବରଂ ଉଭୟ ଦେଶର ନେତୃବୃନ୍ଦ ଏପରି ଛୋଟ ମୋଟ ଘଟଣାର ସମାଧାନ ବାହାର କରିବାକୁ ସକ୍ଷମ ଅଟନ୍ତି । ଉଭୟ ଦେଶ ଏହାକୁ ଭୁଲି ଆଗକୁ ବଢିବା ଆବଶ୍ୟକ । ତେବେ ଚୀନ କେତେକ ସଂବେଦନଶୀଳ ଅଂଚଳରେ ସ୍ଥିତାବସ୍ଥା ବଜାୟ ରଖୁ ବୋଲି ସେ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ଅରୁଣାଚଳ ପ୍ରଦେଶ ସୀମାରେ ଘଟିଥିବା ସମାନ ପ୍ରଦାରର ବିବାଦର ସମାଧାନ ହୋଇଯାଇଛି ବୋଲି ସେ କହିଛନ୍ତି ।

ଗତ ବର୍ଷ ଜୁନରେ ଭୁଟାନର ବିବାଦୀୟ ଅଞ୍ଚଳ ଡୋକଲାମକୁ ନେଇ ଭାରତ ଓ ଚୀନ ସେନା ଦୀର୍ଘ ୭୩ ଦିନ ଧରି ମୁହାଁମୁହିଁ ରହିଥିଲେ । ଚୀନ ଡୋକଲାମକୁ ନିଜର ଅଞ୍ଚଳ ବୋଲି କହୁଛି । କିନ୍ତୁ ଡୋକଲାମ ଏପରି ଏକ ତିନିଛକିଆ ଅଂଚଳରେ ଅଛି ଯାହାକୁ ଚୀନ ଅଧିକାର କଲେ ଭାରତର ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହେବ । ଗତ ବର୍ଷ ଚୀନ ସେନା ଡୋକଲାମ ଅଂଚଳରେ ତମ୍ବୁ ପକାଇ ରହିବା ପରେ ଭୁଟାନର ଅନୁରୋଧ କ୍ରମେ ଭାରତୀୟ ସେନା ସେଠାରେ ପହଞ୍ଚି ତାହାର ବିରୋଧ କରିଥିଲା । କିନ୍ତୁ ଭାରତ ଚୀନ ସୀମାରେ ଅନୁପ୍ରବେଶ କରିଛି ବୋଲି ଚୀନ ଅଭିଯୋଗ କରିଥିଲା । ତେବେ ପରେ ଚୀନ ସେନା ସେଠାରୁ ଚାଲିଯିବାପରେ ଭାରତୀୟ ସେନା ଫେରିଥିଲେ ।

ସମ୍ବନ୍ଧିତ ଖବର