ମୁସଲମାନ୍‌ଙ୍କ ଧାର୍ମିକ ଅଧିକାର ସଙ୍କୁଚିତ କରୁଛି ଚୀନ୍‌, ୫ ବର୍ଷରେ ୧୬ ହଜାର ମସ୍‌ଜିଦ୍‌ ଧ୍ବସ୍ତ

ନୂଆଦିଲ୍ଲୀ : ମାନବାଧିକାର ଏବଂ ନାଗରିକଙ୍କ ଧାର୍ମିକ ସ୍ବାଧୀନତା ଉପରେ ଲଗାତାର ପ୍ରହାର କରୁଥିବା ଚୀନ୍‌ର ଅସଲ ଚେହେରା ଏବେ ସାମ୍ନାକୁ ଆସିଛି। ଚୀନ୍‌ ସରକାର ସିନ୍‌ଜିଆଙ୍ଗ୍‌ ପ୍ରଦେଶରେ ୧୬ ହଜାର ମସ୍‌ଜିଦ୍‌ ଧ୍ବସ୍ତ କରିବା ସହ ମୁସ୍‌ଲିମଙ୍କ ଧାର୍ମିକ ଅଧିକାର ଛଡ଼ାଇ ନେଇଥିବା ଜଣାପଡ଼ିଛି। ବିଗତ ୫ ବର୍ଷ ମଧ୍ୟରେ ଏହି ସବୁ ମସ୍‌ଜିଦ୍‌କୁ ଧ୍ବସ୍ତ କରିଦିଆଯାଇଛି ଏବଂ ୨୦୧୮ରୁ ଏହି ପ୍ରଦେଶରେ ମୁସ୍‌ଲିମ୍‌ଙ୍କ ଉପରେ ବ୍ୟାପକ କଟକଣା ଲାଗୁ କରାଯାଇଛି। ଅଷ୍ଟ୍ରେଲିଆର ଏକ ବିଖ୍ୟାତ ଥିଙ୍କ୍‌ଟ୍ୟାଙ୍କ୍‌ ଷ୍ଟ୍ରାଟେଜିକ ପଲିସ ଇନ୍‌ଷ୍ଟିଚ୍ୟୁଟ୍‌ର ତଥ୍ୟ ମୁତାବକ ସିନ୍‌ଜିଆଙ୍ଗ୍‌ର ଉତ୍ତର ପଶ୍ଚିମ ଅଂଚଳରେ ୧୦ ଲକ୍ଷରୁ ଅଧିକ ଉଇଘର ମୁସ୍‌ଲିମ୍‌ଙ୍କୁ ବିଭିନ୍ନ କ୍ୟାମ୍ପ୍‌ରେ ବନ୍ଦୀ କରି ରଖାଯାଇଛି। ମୁସ୍‌ଲିମମାନେ ସେମାନଙ୍କ ପରମ୍ପରାଗତ ଏବଂ ଧାର୍ମିକ କାର୍ଯ୍ୟକଳାପକୁ ସଂପୂର୍ଣ୍ଣ ପରିତ୍ୟାଗ କରିବା ପାଇଁ ପ୍ରବଳ ଚାପ ପ୍ରୟୋଗ କରାଯାଉଛି। ଏ ବାବଦରେ ଜାତିସଂଘର ଉଦ୍‌ବେଗ ପ୍ରତି ମଧ୍ୟ ଚୀନ୍‌ କର୍ଣ୍ଣପାତ କରିନାହିଁ। ଚୀନ୍ ସିନ୍‌ଜିଆଙ୍ଗ୍‌ ପ୍ରଦେଶର ମୁସ୍‌ଲିମଙ୍କ ଉପରେ ଚଳାଇଥିବା ଦମନ ଲୀଳାକୁ ବିରୋଧ କରି ଆମେରିକା କେତେକ କଟକଣା ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ଚୀନ୍‌ର ଚାଲ୍‌ ଆଗରେ ଏହା ନିଷ୍ପ୍ରଭ ହୋଇଯାଇଛି।

ସମ୍ବନ୍ଧିତ ଖବର