ବେଜିଂ : ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ ପ୍ରସଙ୍ଗରେ ଅଷ୍ଟ୍ରେଲିଆ ମତ ରଖିଥିବାରୁ ଚୀନ ତାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।
ସୀମା ବିବାଦକୁ ନେଇ ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆ ହାଇକମିସନର ବ୍ୟାରି ଓ'ଫାରେଲଙ୍କ ବୟାନ ଉପରେ ତୀବ୍ର ପ୍ରତିକ୍ରିୟା ରଖିଛି ଚୀନ । ଚୀନ୍ ଦୂତାବାସ ମୁଖପାତ୍ର କହିଛନ୍ତି ଯେ ଭାରତ-ଚୀନ୍ ସୀମା ସାମଗ୍ରିକ ଭାବେ ସ୍ଥିର ରହିଛି। ଏହା ଭାରତ ଓ ଚୀନର ଦ୍ୱିପାକ୍ଷିକ ମାମଲା ଏବଂ ଏଥିରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ଗ୍ରହଣୀୟ ନୁହେଁ। ଏହି ବୟାନ ପରେ ପୁଣି ଥରେ ଅଷ୍ଟ୍ରେଲିଆ-ଚୀନ ସମ୍ପର୍କରେ ଉତ୍ତେଜନା ଦେଖାଦେଇପାରେ। କୋଭିଡ୍ ମହାମାରୀ ପରଠାରୁ ଚୀନ୍ ସହ ଅଷ୍ଟ୍ରେଲିଆର ସମ୍ପର୍କ ଭଲ ନାହିଁ। ଅଷ୍ଟ୍ରେଲିଆ କୋଭିଡ୍ ଭୂତାଣୁର ଉତ୍ପତ୍ତିକୁ ନେଇ ଚୀନ୍କୁ ଟାର୍ଗେଟ କରିବା ସହ ଏହାର ତଦନ୍ତ ଦାବି କରିଥିଲା। ଏହାପରେ ଚୀନ ଅଷ୍ଟ୍ରେଲିଆ ଉପରେ ଅର୍ଥନୈତିକ କଟକଣା ଲଗାଇବା ସହ ଅନେକ ଅତ୍ୟାବଶ୍ୟକ ସାମଗ୍ରୀର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲା ।
ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ବ୍ୟାରି ଓ'ଫାରେଲ କହିଥିଲେ ଯେ ଭାରତ-ଅଷ୍ଟ୍ରେଲିଆ ସମ୍ପର୍କ ଅନ୍ୟ କୌଣସି ଦେଶ ସହ ଆମର ସମ୍ପର୍କ ଦ୍ୱାରା ନିର୍ଦ୍ଦିଷ୍ଟ ନୁହେଁ। ଆମ ଭିତରେ ଅନେକ ସାମଞ୍ଜସ୍ୟ ରହିଛି। ଆମେ ପ୍ରକୃତ ବୁଝାମଣା, ଅଂଶୀଦାର ଦୃଷ୍ଟିକୋଣ ଏବଂ ଅଂଶୀଦାର ମୂଲ୍ୟରେ ବିଶ୍ୱାସ କରୁ | ସେଥିପାଇଁ ଭାରତ-ଅଷ୍ଟ୍ରେଲିଆ ସମ୍ପର୍କ ସୁଦୃଢ଼ ହେବାରେ ଲାଗିଛି। କୋଭିଡ୍ ମହାମାରୀ ସମୟରେ ଚୀନ୍ ଅଷ୍ଟ୍ରେଲିଆ ଉପରେ କିଛି ଅର୍ଥନୈତିକ ଚାପ ପକାଇଥିଲା। ଭାରତୀୟ ସୀମାରେ ଅନୁପ୍ରବେଶ କୁ ନେଇ ଭାରତ ଓ ଚୀନ ମଧ୍ୟରେ ଅନେକ ପର୍ଯ୍ୟାୟ ଆଲୋଚନା ପରେ ଚୀନ ମଧ୍ୟ ସମାନ କାର୍ଯ୍ୟ ଜାରି ରଖିଛି । ଆମେ ସମ୍ପର୍କକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରୁନାହୁଁ, ବରଂ ତାହାକୁ ସ୍ଥିର କରିବାକୁ ଚେଷ୍ଟା କରୁଛୁ । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆମେ ଏକାଠି କାମ ଜାରି ରଖିବୁ ।