ମସ୍କୋ: ଚୀନ୍ କାହାର ବନ୍ଧୁ ନୁହେଁ। ସେ ଭାରତ ପ୍ରତି ବିଶ୍ୱାସଘାତକତା କରିସାରିଛି। ଏବେ ଚୀନ୍ ନିଜର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ପିଠିରେ ଛୁରୀ ଭୁସିଛି। ହାଇପରସୋନିକ୍ ଟେକ୍ନୋଲୋଜି ଯାହାକୁ ପୁଟିନ୍ ତାଙ୍କର ସାର୍ବଭୌମତ୍ୱ ବୋଲି ବିବେଚନା କରୁଥିଲେ, ଚୀନ୍ ଏବେ ପୁଟିନଙ୍କ ଘରେ ପ୍ରବେଶ କରି ସେହି ଟେକ୍ନୋଲୋଜି ହାସଲ କରିଛି।

Advertisment

ଏହା ପ୍ରକାଶ ପରେ ରୁଷିଆରେ ଆଲୋଡ଼ନ ସୃଷ୍ଟି ହୋଇଛି। ଦେଶଦ୍ରୋହ ଅଭିଯୋଗରେ ପୁଟିନଙ୍କ ହାଇପରସୋନିକ୍ ଟେକ୍ନୋଲୋଜିରେ କାମ କରୁଥିବା ଏହି ବିଶେଷଜ୍ଞଙ୍କୁ ମସ୍କୋ କୋର୍ଟ ୧୫ ବର୍ଷ ଦଣ୍ଡିତ କରିଛନ୍ତି। ସେ ଚୀନ୍‌ର ଗୁପ୍ତଚର ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି।

ମିଡିଆଜୋନା ରିପୋର୍ଟ ଅନୁଯାୟୀ, ରୁଷିଆର ବୈଜ୍ଞାନିକ ଆଲେକ୍ସଜାଣ୍ଡାର୍ ସିପଲୁକ୍‌ ପୁଟିନଙ୍କ ସ୍ୱତନ୍ତ୍ର ପ୍ରୋଜେକ୍ଟ ହାଇପରସୋନିକ୍ ଯୁଦ୍ଧ ବିମାନ ଉପରେ ବର୍ଷ ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ। ଏହି ସମୟରେ ଚୀନ୍‌ର ଗୁପ୍ତଚରମାନେ ତାଙ୍କ ସହ ଯୋଗାଯୋଗ କରି ତାଙ୍କୁ ଟେକ୍ନୋଲୋଜି ଯୋଗାଇବା ପାଇଁ ଚୁକ୍ତି କରିଥିଲେ।

୨୦୧୭ରେ ଅନୁଷ୍ଠିତ ଏକ ବୈଜ୍ଞାନିକ ସମ୍ମିଳନୀରେ ସିପଲୁକ୍‌ ହାଇପରସୋନିକ୍ ଟେକ୍ନୋଲୋଜିର ବର୍ଗୀକୃତ ତଥ୍ୟ ଚୀନ୍‌କୁ ବିକ୍ରି କରିଥିବା ରିପୋର୍ଟରେ ଦର୍ଶାଯାଇଛି।

୫୭ ବର୍ଷୀୟ ସିପଲୁକ୍‌ ସାଇବେରିଆର ଇନଷ୍ଟିଚ୍ୟୁଟ୍ ଅଫ୍ ଥିଓରିଟିକାଲ୍ ଏବଂ ଆପ୍ଲାଏଡ୍ ମେକାନିକ୍ସର ମୁଖ୍ୟ ଥିଲେ। ତାଙ୍କୁ ୨୦୨୩ରେ ଗିରଫ କରାଯାଇଥିଲା। ଯେତେବେଳେ ଅନୁସନ୍ଧାନ କରାଯାଇଥିଲା,ଜଣାପଡ଼ିଥିଲା ଯେ ସେ ଚାଇନା ସହିତ ହାଇପରସୋନିକ୍ ଯୁଦ୍ଧ ବିମାନର ଟେକ୍ନୋଲୋଜି ବାଣ୍ଟିଛନ୍ତି।

କେବଳ ଏତିକି ନୁହେଁ, ସେ ଚୀନ୍ ଗୁପ୍ତଚରଙ୍କ ପାଇଁ ସର୍ବଦା ଅନଲାଇନରେ ଉପଲବ୍ଧ ଥିଲେ। ଯେତେବେଳେ ବି ଚୀନ୍ ଗୁପ୍ତଚର ସୂଚନା ଆବଶ୍ୟକ କରୁଥିଲେ ସିପଲୁକ୍‌ ଏହାକୁ ପ୍ରଦାନ କରୁଥିଲେ।

ଅନ୍ୟ ଜଣେ ବୈଜ୍ଞାନିକ ଆନାତୋଲି ମାସ୍ଲୋଭ,  ସିପଲୁକ୍‌ଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରିଥିଲେ। ଦେଶଦ୍ରୋହ ଅଭିଯୋଗରେ ତାଙ୍କୁ ମେ’ ମାସରେ ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସେହିପରି ସେଣ୍ଟ ପିଟର୍ସବର୍ଗ ଭିତ୍ତିକ ଅନୁସନ୍ଧାନ ପ୍ରତିଷ୍ଠାନର ମୁଖ୍ୟ ଆଲେକ୍ସଜାଣ୍ଡାର୍ କୁରାନୋଭଙ୍କୁ ମଧ୍ୟ ଏପ୍ରିଲରେ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ତେବେ ସିପଲୁକ୍‌ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଚୀନ୍‌ର ବିଶେଷଜ୍ଞମାନଙ୍କୁ ସେ ଯାହା ସୂଚନା ଦେଇଛନ୍ତି ତାହା ଅନଲାଇନରେ ଉପଲବ୍ଧ। ଯେକେହି ତାକୁ ଖୋଜି ପାରିବେ। ଘଟଣାର ସମ୍ବେଦନଶୀଳତାକୁ ବିଚାରକୁ ନେଇ ଶୁଣାଣି ବନ୍ଦ ଦ୍ୱାରରେ ଅନୁଷ୍ଠିତ ହୋଇଥିଲା।

ଅଧିକ ପଢ଼ନ୍ତୁ:ଗଧିଆ କାହିଁକି ପାଲଟୁଛନ୍ତି ନରଖାଦକ: ଉତ୍ତର ଦେଲେ ବିଶେଷଜ୍ଞ

ବିବିସି ରିପୋର୍ଟ ଅନୁଯାୟୀ, ପୁଟିନ ହାଇପରସୋନିକ୍ ବିମାନର ଏକ ନୂଆ ସିରିଜ୍ ଉପରେ କାମ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୧୧ ଜଣ ରୁଷିଆ ବୈଜ୍ଞାନିକ ଏହି ସୂଚନା ଲିକ୍ କରିଥିବା ଅଭିଯୋଗରେ ଜେଲ ଯାଇଛନ୍ତି।

ଅଧିକ ପଢ଼ନ୍ତୁ:ନୀତୀଶ-ତେଜସ୍ବୀ ଭେଟକୁ ନେଇ ବଢିଲା କଳ୍ପନାଜଳ୍ପନା