ଭାରତ ସହ ଉତ୍ତେଜନା ମଧ୍ୟରେ ବୋମାବର୍ଷୀ ବିମାନ, କ୍ରୁଜ ମିସାଇଲ ମୁତୟନ କଲା ଚୀନ

ନୂଆଦିଲ୍ଲୀ : ବାରମ୍ବାର ଆଲୋଚନା ସତ୍ତ୍ୱେ କେତେକ ବିବାଦୀୟ ଅଞ୍ଚଳରୁ ଚୀନ ସେନା ପଛକୁ ହଟିବା ଦୂରର କଥା ନିଜର ଶକ୍ତି ବଢାଇଚାଲିଛି । ଲଦାଖକୁ ଲାଗିଥିବା ତିବ୍ଦତରେ ଚୀନ ପକ୍ଷରୁ ବୋମାବର୍ଷୀ ବିମାନ ଓ କ୍ରୁଜ ମିସାଇଲ ମୁତୟନ କରିଥିବା ସାଟେଲାଇଟ ଚିତ୍ରରୁ ଜଣାପଡ଼ିଛି ।
ଗୁଇନ୍ଦା ସାଟେଲାଇଟ ଚିତ୍ରର ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଚୀନ ତିବ୍ଦତ ନିକଟରେ ଥିବା କାସଘରଠାରେ ନିଜର ମୁଖ୍ୟ ବୋମାବର୍ଷୀ ବିମାନ ଏଚ-୬ ମୁତୟନ କରିଛି । ଏଥିରେ କ୍ରୁଜ ମିସାଇଲ ଲଗାଯାଇଛି । ଗତ ଜୁନ ମାସରେ ଭାରତ ସହ ହୋଇଥିବା ଉତ୍ତେଜନା ଓ ସଂଘର୍ଷ ପରେ ଚୀନ ଏସବୁ ବିମାନ ଓ ମିସାଇଲ ଆଣିଥିବା କୁହାଯାଉଛି । ଏହାକୁ ନେଇ ଭାରତର ଚିନ୍ତା ବଢିଯାଇଛି । ତେବେ କାସଘରଠାରେ ଥିବା ଏହି ବିମାନ ଘାଟି ସମୁଦ୍ର ପତ୍ତନଠାରୁ ୧୪ ହଜାର ଫୁଟ ଉଚ୍ଚରେ ଥିବାବେଳେ ଏସବୁ ବିମାନର କାର୍ଯ୍ୟକ୍ଷମତା ନେଇ ବିଶେଷଜ୍ଞମାନେ ସଂଦେହ କରିଛନ୍ତି । ଅମ୍ଳଜାନ ଅଭାବ ଥିବାରୁ ଏସବୁ ବିମାନର କାର୍ଯ୍ୟକ୍ଷମତା ହ୍ରାସ ପାଇବ ।

ଅନ୍ୟପକ୍ଷରେ ଏଲଏସି ନିକଟରେ ଥିବା ହଟ ସ୍ପ୍ରିଙ୍ଗ ଓ ଆଉକେତେକ ଅଞ୍ଚଳରେ ଚୀନ ସେନା ନିଜର ୬ଷ୍ଠ ମେକାନାଇଜଡ ଇନଫାଣ୍ଟ୍ରି ଡିଭିଜନକୁ ପ୍ରସ୍ତୁତ ରଖିଛି । ଏସବୁ ଅଞ୍ଚଳରେ ଆର୍ଟିଲାରୀ ଗନଗୁଡ଼ିକୁ ସଜାଇ ରଖାଯାଇଛି । ଏଲଏସିର ଗଲଓ୍ଵାନ ଘାଟି, ଜୀବନ ନାଲା, ଚିପ ଚାପ ଘାଟି ନିକଟରେ ଚୀନ ସେନା ନିଜର ୧୭ ଓ ୧୮ ମେକାନାଇଜଡ୍‌ ଇନଫ୍ରାଣ୍ଟ୍ରି ଡିଭିଜନର ଲଢୁଆ ଯାନଗୁଡ଼ିକୁ ପ୍ରସ୍ତୁତ ରଖିଛି । ଏସବୁ ଅଞ୍ଚଳରେ ବିମାନ ବିଧ୍ୱଂସୀ ତୋପକୁ ମଧ୍ୟ ମୁତୟନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ ରହିଛି ।

ସମ୍ବନ୍ଧିତ ଖବର