ବ୍ରହ୍ମପୁତ୍ର ନଦୀ ପାଇଁ ହାଇଡ୍ରୋଲୋଜିକାଲ୍ ଡାଟା ସେୟାର୍ କଲା ଚୀନ୍

 

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଚୀନ୍ ବ୍ରହ୍ମପୁତ୍ର ନଦୀ ନିମନ୍ତେ ଭାରତକୁ ‘ହାଇଡ୍ରୋଲୋଜିକାଲ୍ ଡାଟା’ ସେୟାର୍ କରିବା ଆରମ୍ଭ କରିଛି। ଚୀନ୍ ପ୍ରତିବର୍ଷ ମୌସୁମୀ ବର୍ଷା ସମୟରେ ଏହି ଡାଟା ବା ତଥ୍ୟ ପ୍ରଦାନ କରିଥାଏ। ଏହାକୁ ଭିତ୍ତି କରି ଉତ୍ତରପୂର୍ବ ଭାରତର ବନ୍ୟା ପରିସ୍ଥିତି ସଂକ୍ରାନ୍ତରେ ସୂଚନା ପ୍ରସାରଣ କରାଯାଏ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ବ୍ରହ୍ମପୁତ୍ରର ମୁଖ୍ୟ ଉତ୍ସରେ ଅବସ୍ଥିତ ନୁଗେଶା, ୟାଗ୍‌କୁନ୍ ଏବଂ ନୁଜିଆ ଆଦି ତିନୋଟି ହାଇଡ୍ରୋଲୋଜିକାଲ୍ ଷ୍ଟେସନ୍ ବା ‘ଜଳ ପରିଚାଳନା କେନ୍ଦ୍ର’ରୁ ଏହି ତଥ୍ୟ ପ୍ରଦାନ କରାଯାଇଥାଏ ବୋଲି ଜଳ ଶକ୍ତି ମନ୍ତ୍ରାଳୟ ଶୁକ୍ରବାର ଦିନ କହିଛି।

ବ୍ରହ୍ମପୁତ୍ର ନଦୀକୁ ଚୀନ୍‌ରେ ୟାର୍‌ଗ୍ଲୁଙ୍ଗ୍ ଜାଙ୍ଗ୍‌ବୋ କୁହାଯାଉଥିବା ବେଳେ ସୁତଲେଜ୍‌ ନଦୀକୁ ଲାଙ୍ଗ୍‌କ୍ବେନ୍ ଜାଙ୍ଗବନ୍ଦ କୁହାଯାଏ। ସୁତଲେଜ୍ ପାଇଁ ସାଦା ଷ୍ଟେସନ୍‌ରୁ ତଥ୍ୟ ଆସିଥାଏ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

Image Source: Deccan Herald

ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ରାଜିନାମା ଅନୁସାରେ ବେଜିଙ୍ଗ୍ ନୂଆଦିଲ୍ଲୀକୁ ହାଇଡ୍ରୋଲଜିକାଲ୍ ଡାଟା ଦେଉଛି। ଏହି ଚୁକ୍ତି ଅନୁସାରେ, ବ୍ରହ୍ମପୁତ୍ର ନଦୀ ପାଇଁ ଚୀନ୍ ମେ ୧୫ ଓ ସତଲେଜ୍ ନଦୀ ପାଇଁ ଜୁନ୍ ୧ ଠାରୁ ଡାଟା ସେୟାର୍ କରିଥାଏ। ଅକ୍ଟୋବର ମାସ ଯାଏଁ ଦୈନିକ ଦୁଇ ଥର ଏହି ଡାଟା ସେୟାର୍ ହୋଇଥାଏ।

ଏଠାରେ ପ୍ରକାଶଯୋଗ୍ୟ କି, ଡାଟା ସଂଗ୍ରହ କେନ୍ଦ୍ର ସବୁ ଭାସି ଯାଇଥିବା କହି ଚୀନ୍ ୨୦୧୭ରେ ଭାରତକୁ ଡାଟା ସେୟାର୍ କରି ନ ଥିଲା।

ତିବ୍ବତରୁ ସୃଷ୍ଟି ହୋଇଥିବା ବ୍ରହ୍ମପୁତ୍ର ନଦୀ ଅରୁଣାଚଳ ପ୍ରଦେଶ ଓ ଆସାମରେ ପ୍ରବାହିତ ହୋଇ ବଙ୍ଗୋପସାଗରରେ ପଡ଼ିଛି।

 

ସମ୍ବନ୍ଧିତ ଖବର