ଇସ୍ଲାମାବାଦ: ପାକିସ୍ତାନରେ ନିର୍ମାଣାଧୀନ ଥିବା ତିନିଗୋଟି ବୃହତ୍ ସଡକ ପ୍ରକଳ୍ପକୁ ଅର୍ଥ ସହାୟତା ବନ୍ଦ କରିବା ଲାଗି ଚୀନ ନିଷ୍ପତ୍ତି ନେଇଛି । ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର ନିର୍ମାଣ ଅନ୍ତର୍ଗତ ଆରମ୍ଭ ହୋଇଥିବା ଏହି ସଡକ ପ୍ରକଳ୍ପକୁ ଅର୍ଥ ଯୋଗାଣ ସାମୟିକ ଭାବେ ବନ୍ଦ କରିଛି ଚୀନ୍ । ପାକିସ୍ତାନରେ ବ୍ୟାପକ ଦୁର୍ନୀତି ହେଉଥିବାରୁ ଚୀନ ଏପରି ନିଷ୍ପତ୍ତି ନେଉଥିବା ଜଣାପଡ଼ିଛି । ବନ୍ଧୁରାଷ୍ଟ୍ରର ଏତାଦୃଶ ନିଷ୍ପତ୍ତିରେ ପାକ୍ ପ୍ରଶାସକ ସ୍ତମ୍ଭୀଭୂତ ହୋଇପଡ଼ିଛି ।
ପାକିସ୍ତାନ୍ର ‘ଡନ୍’ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପାକିସ୍ତାନ୍ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ଟ୍ରିଲିଅନ୍ ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ସଡକ ପ୍ରକଳ୍ପର କାର୍ଯ୍ୟ ବାଧାପ୍ରାପ୍ତ ହେବ । ପାକିସ୍ତାନ କର୍ତ୍ତୃପକ୍ଷ ଏହି ଅର୍ଥର ସଠିକ ବିନିଯୋଗ କରୁ ନ ଥିବା କଥା ଜାଣିବା ପରେ ଚୀନ୍ ଏପରି ପଦକ୍ଷେପ ନେଇଛି । ଏହି ଅର୍ଥ ବ୍ୟୟ ଲାଗି ଏକ ନୂତନ ଗାଇଡ୍ ଲାଇନ୍ ଚୀନ୍ ପ୍ରସ୍ତୁତ କରୁଛି । ଏହା ପ୍ରସ୍ତୁତ ହେବା ପରେ ଚୀନ୍ ପକ୍ଷରୁ ଅର୍ଥରାଶି ଯୋଗାଣ ଆରମ୍ଭ ହୋଇପାରେ ।
୬୦ ବିଲିଅନ୍ ଆମେରିକୀୟ ଡଲାର୍ ବ୍ୟୟରେ ନିର୍ମିତ ଏହି ବୃହତ୍ ସଡକ ପ୍ରକଳ୍ପ ପାକ୍ ଅଧିକୃତ କାଶ୍ମୀର ଓ ପାକିସ୍ତାନର ବଲୁଚିସ୍ତାନ୍ ସହିତ ଚୀନ୍ର ଜିଂଜିଆଙ୍ଗ୍ ପ୍ରଦେଶକୁ ସଂଯୁକ୍ତ କରିବ । ତେବେ ଚୀନ୍ର ଅର୍ଥ ଯୋଗାଣ ବନ୍ଦ ନିଷ୍ପତ୍ତି ଦ୍ୱାରା ୨୧୦ କିମି ଦୀର୍ଘ ଡେରା ଇସ୍ମାଇଲ୍ ଖାନ୍-ଝବ ରୋଡ୍, ୧୧୦ କିମି ଦୀର୍ଘ ଖୁଜ୍ଦାର- ବସିମା ରୋଡ ଏବଂ ୧୩୬ କିମି ଦୀର୍ଘ କାରାକୋରମ୍ ରାଜପଥର କାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି ଜଣାପଡ଼ିଛି।