ନୂଆଦିଲ୍ଲୀ: ରୁଷ୍ର ଆମଦାନି କରାଯାଇଥିବା ଏସ୍-୪୦୦ ଏୟାର୍ ଡିଫେନ୍ସ୍ ସିଷ୍ଟମ୍କୁ ଚୀନ୍ ସଫଳତାର ସହ ପରୀକ୍ଷା କରିଛି। ଯୁକ୍ତରାଷ୍ଟ୍ର ଆମେରିକାର କଟକଣା ଧମକ ସତ୍ତ୍ୱେ ନିକଟରେ ଭାରତ ଏହି କ୍ଷେପଣାସ୍ତ୍ର ଲାଗି ରୁଷ୍ ସହ ରାଜିନାମା ସ୍ୱାକ୍ଷର କରିଛି।
୨୦୧୫ ମସିହାରେ ଚୀନ୍ ଏଥି ନିମନ୍ତେ ୩ ବିଲିୟନ୍ ଆମେରିକୀୟ ଡଲାର୍ ରାଜିନାମା ସ୍ୱାକ୍ଷର କରିଥିଲା। ଗତ ଜୁଲାଇ ମାସ ସୁଦ୍ଧା ରୁଷ୍ ଠାରୁ କ୍ଷେପଣାସ୍ତ୍ରର ସମସ୍ତ ଅଂଶ ଗ୍ରହଣ କରି ସାରିବା ପରେ ପ୍ରଥମ ଥର ଲାଗି ପିପଲ୍ସ୍ ଲିବରେସନ୍ ଆର୍ମି ଏହାକୁ ଗତ ମାସରେ ପରୀକ୍ଷା କରିଥିବା କଥା ରୁଷ୍ ଗଣମାଧ୍ୟମ ରିପୋର୍ଟକୁ ଉଦ୍ଧାର କରି ଗୁରୁବାର ଦିନ ଚୀନ୍ର ‘ମର୍ଣ୍ଣିଂ ପୋଷ୍ଟ୍’ ପ୍ରକାଶ କରିଛି।
କେଉଁ ସ୍ଥାନରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି ତାହା ଗୋପନ ରଖାଯାଇଛି।
ଏହି ମାରାତ୍ମକ ମିସାଇଲ୍ ସିଷ୍ଟମ୍ କିଣିବା ଲାଗି ରୁଷ୍ ସହ ୨୦୧୪ରେ ଚୁକ୍ତି କରିଥିବା ଚୀନ୍ ହେଉଛି ପ୍ରଥମ ବିଦେଶୀ କ୍ରେତା ଯିଏ ସରକାର ଓ ସରକାର ମଧ୍ୟରେ ହୋଇଥିବା ରାଜିନାମାକୁ ଗୋପନ ରଖିଥିଲା। ବେଜିଙ୍ଗ୍କୁ ମସ୍କୋ କେତେ ସଂଖ୍ୟକ ଏସ୍-୪୦୦ ମିସାଇଲ୍ ସିଷ୍ଟମ୍ ଯୋଗାଇଛି, ତାହା ମଧ୍ୟ ଗୁପ୍ତ ରହିଛି।