ଭାରତୀୟ କେ-୯ ବଜ୍ରର ମୁକାବିଲା ପାଇଁ ପାକିସ୍ତାନକୁ ଚୀନ ଦେଲା ଶକ୍ତିଶାଳୀ ଟ୍ୟାଙ୍କ୍

ନୂଆଦିଲ୍ଲୀ: ଚୀନ ପାକିସ୍ତାନକୁ ନୂଆ ଅସ୍ତ୍ରଶସ୍ତ୍ର ଦେବା ପ୍ରକ୍ରିୟା ଜାରି ରଖିଛି । ଏକ ରିପୋର୍ଟ ଅନୁସାରେ ଚୀନ ଅଳ୍ପ ଦିନ ଆଗରୁ ପାକିସ୍ତାନକୁ ମାଉଂଟେଡ୍ ହୋଇଜର୍ ଟ୍ୟାଙ୍କ୍ ଦେଇଛି। ଭାରତୀୟ ଟ୍ୟାଙ୍କ କେ-୯ ବଜ୍ରର ମୁକାବିଲା ପାଇଁ ପାକିସ୍ତାନକୁ ଚୀନ ଏହା ଯୋଗାଇଛି। ଏହାଛଡା  ଏଆର୍-୧ ୩୦୦ ମିଲିମି଼ଟର ମଲ୍ଟି ବ୍ୟାରେଲ୍ ରକେଟ୍ ଲଞ୍ଚର୍ ମଧ୍ୟ ଦେବାକୁ ଯାଉଛି । ଏଥିପାଇଁ ୫୨.୨ କୋଟି ଡଲାରର ଚୁକ୍ତି  ହୋଇଛି ବୋଲି ସୂଚନା ରହିଛି।

ମିଡିଆ ରିପୋର୍ଟ ଅନୁସାରେ ଚୀନ ପାକିସ୍ତାନକୁ ଲଢୁଆ ବିମାନ, ବିଧ୍ଵଂସକାରୀ ଡିଏଫ୍-୧୭ ହାଇପରସୋନିକ୍ ମିସାଇଲ୍ ମଧ୍ୟ ଦେବାକୁ ଯାଉଛି। ଚୀନ ପାକିସ୍ତାନକୁ ଏହି ଅସ୍ତ୍ରଶସ୍ତ୍ର ଦେବାର କାରଣ ହେଉଛି, ଚୀନ ଚାହୁଁଛି ପାକିସ୍ତାନ ଭାରତ ସହିତ ଯୁଦ୍ଧ ସମୟରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବ। ଭାରତର ଏସ୍-୪୦୦ ମିସାଇଲ୍ ସିଷ୍ଟମର ମୁକାବିଲା ଲାଗି ଚୀନ୍ ପାକିସ୍ତାନକୁ ସକ୍ଷମ କରାଉଛି। ପାରମ୍ପରିକ ଯୁଦ୍ଧ ପାଇଁ ଚୀନ୍ ପାକିସ୍ତାନକୁ ୧୯୯୦ରୁ ଅସ୍ତ୍ରଶସ୍ତ୍ର ଦେଇ ଆସୁଛି।

ସୂଚନା ଅନୁସାରେ ଚୀନ୍ ଓ ପାକିସ୍ତାନ ୨୦୧୯ରେ ଚୀନର ଅସ୍ତ୍ରଶସ୍ତ୍ର କମ୍ପାନୀ ନୋରିନ୍କୋ ସହିତ ଏକ ଚୁକ୍ତି କରିଥିଲା। ଏହି ଚୁକ୍ତି ଅନୁସାରେ ପାକିସ୍ତାନକୁ ୨୩୬ ଏସଏଚ୍-୧୫ ୧୫୫ଏମଏମ୍ ମାଉଂଟେଡ୍ ହୋଇଜର୍ ଟ୍ୟାଙ୍କ୍ ମିଳିବାର ଅଛି। ଏହା ବ୍ୟତୀତ ଏଆର୍-୧ ଓଜନିଆ ରକେଟ୍ ଲଞ୍ଚର୍ ମଧ୍ୟ ପାକିସ୍ତାନକୁ ଦିଆଯିବାର ଯୋଜନା ଅଛି। ଏହାର ରେଞ୍ଜ୍ ୫୩ କିଲୋମିଟର । ଏହାର ଗୁଳିଗୋଳା ମଧ୍ୟ ପାକିସ୍ତାନକୁ ଯୋଗାଇ ଦିଆଯିବ । ଚୀନ୍ ଚାହୁଁଛି ପଶ୍ଚିମ ସୀମାରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଲାଗି ରହୁ ଯାହା ଦ୍ଵାରା ସେ ଏଲଏସିରେ ଭାରତକୁ ଚାପ ପକାଇବାକୁ ସକ୍ଷମ ହୋଇ ପାରିବ।

ପାକିସ୍ତାନକୁ ହାଇପରସୋନିକ୍ ମିସାଇଲ୍ ଡିଏଫ୍-୧୭ ଦିଆଯିବାର କାରଣ ହେଉଛି ସେ ଏହା ଦ୍ଵାରା ଭାରତର ଏସ୍-୪୦୦ର ମୁକାବିଲା କରି ପାରିବ। ଚୀନ୍ ୨୦୧୪ରୁ ୯ ଥର ଏହି ମିସାଇଲର ପରୀକ୍ଷା କରିଛି। ବିଶ୍ଵାସ କରାଯାଉଛି ଏହାର ରେଞ୍ଜ୍ ୧୯୫୦ କିଲୋମିଟର। ଏହାର ବେଗ ଶବ୍ଦର ବେଗଠାରୁ ୫ ଗୁଣା ଅଧିକ ଅଟେ। ଚୀନ ପାଖରେ ଉନ୍ନତମାନର ମିସାଇଲ୍ ଅଛି କିନ୍ତୁ ଭାରତ ପାଖରେ ଏହାଠାରୁ ବହୁଗୁଣରେ ଶକ୍ତିଶାଳୀ ହାଇପରସୋନିକ୍ ମିସାଇଲ୍ ଅଛି। ୨୦୨୦ ସେପ୍ଟେମ୍ବରରେ ଭାରତ ହାଇପରସୋନିକ୍ ଟେକ୍ନୋଲୋଜି ଡେମନ୍ସଟ୍ରେଟର୍ ଭାଇକେଲ(ଏଚଏସଟିଡିଭି)ର ସଫଳ ପରୀକ୍ଷଣ କରିଥିଲା। ଏବେ ଡିଆରଡିଓକୁ ସ୍ଵଦେଶୀ ପ୍ରକଳ୍ପଗୁଡିକୁ ଶୀଘ୍ର ପ୍ରସ୍ତୁତ କରିବାର ଆବଶ୍ୟକତା ଅଛି ଯାହା ଦ୍ଵାରା ଚୀନ୍ ଓ ପାକିସ୍ତାନର ମୁକାବିଲା କରା ଯାଇପାରିବ।

ସମ୍ବନ୍ଧିତ ଖବର