ନୂଆଦିଲ୍ଲୀ: ଭାରତର ଶକ୍ତିଶାଳୀ କ୍ଷେପଣାସ୍ତ୍ର ବ୍ୟବସ୍ଥା ‘ବ୍ରହ୍ମୋସ୍’ ସମ୍ପର୍କରେ ଗୁପ୍ତ ତଥ୍ୟ ହାସଲ କରିବାରେ ବିଫଳ ହେବା ପରେ ପାକିସ୍ତାନ ଏବେ ବିକଳ୍ପ ପନ୍ଥା ଅବଲମ୍ବନ କରିବାକୁ ନିଷ୍ପତ୍ତି ନେଇଛି। ବ୍ରହ୍ମୋସ୍କୁ ଟକ୍କର େଦବା ଭଳି ଏକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ତିଆରି କରି ଭାରତର ସମକକ୍ଷ ହେବା ପାଇଁ ପାକିସ୍ତାନ ଉଦ୍ୟମ ଅବ୍ୟାହତ ରଖିଛି। ଅନ୍ୟପକ୍ଷରେ ଭାରତ ଉପେର ପ୍ରାଧାନ୍ୟ ବିସ୍ତାର କରିବାକୁ ସ୍ବପ୍ନ ଦେଖୁଥିବା ଚୀନ୍ ଏ ବାବଦରେ ପାକ୍କୁ ସହାୟତାର ହାତ ବଢ଼ାଇବ ବୋଲି ପ୍ରତିଶ୍ରୁତି ଦେଇଛି। ପାକ୍ ଯେଉଁଭଳି କ୍ଷେପଣାସ୍ତ୍ର ଚାହୁଛି, ଠିକ୍ ସେମିତି କ୍ଷେପଣାସ୍ତ୍ର ଚୀନ୍ ନିର୍ମାଣ କରିଛି। ଭାରତକୁ ମାତ୍ ଦେବା ପାଇଁ ଅନବରତ ଚେଷ୍ଟା ଚଳାଇଥିବା ଏହି ଦୁଇ ଦେଶ ଖୁବ୍ଶୀଘ୍ର ଆଉ ଏକ ଚୁକ୍ତି କରିବାକୁ ଯାଉଥିବା ଜଣାଯାଇଛି। ପାକିସ୍ତାନ ପାଇଁ ଅଧିକ ଶକ୍ତିଶାଳୀ େକ୍ଷପଣାସ୍ତ୍ର ନିର୍ମାଣ କରିବା ଲାଗି ଚୀନ୍ ସମସ୍ତ ପଦକ୍ଷେପ ଗ୍ରହଣ କରିଛି। ଏମିତି କି କିଛି କ୍ଷେପଣାସ୍ତ୍ର ପରୀକ୍ଷାମୂଳକ ଭାବେ ତିଆରି ସରିଛି। ପାକିସ୍ତାନର ଚାହିଦା ଅନୁସାରେ ଏହା ଭବିଷ୍ୟତରେ ଆହୁରି ଅନେକ କ୍ଷେପଣାସ୍ତ୍ର ନିର୍ମାଣ କରି ଯୋଗାଇଦେବ। ପାକିସ୍ତାନ ମଧ୍ୟ ଏ ବାବଦରେ ବିଶେଷ ଆଗ୍ରହ ରଖିଛି। ବିଶେଷକରି ଏସ୍-୪୦୦ ଟ୍ରାୟମ୍ଫ୍ କ୍ଷେପଣାସ୍ତ୍ର ବିଧ୍ବଂସକ କିଣିବା ପାଇଁ ରୁଷ୍ ସହିତ ଭାରତ ଚୁକ୍ତି କରିବା ପରେ ପାକିସ୍ତାନ ଓ ଚୀନ୍କୁ ନିଦ ଆସୁନାହିଁ। ପାକ୍ କିଭଳି ଏ କ୍ଷେତ୍ରରେ ଭାରତ ସହ ସମକକ୍ଷ କିମ୍ବା ଭାରତଠୁ ଆଗକୁ ବଢ଼ିବ, ସେଥିପାଇଁ ବିଭିନ୍ନ ଯୋଜନା ତିଆରି କରୁଛି ଏବଂ ଚୀନ୍ ମଧ୍ୟ ସବୁ ପ୍ରକାର ସହଯୋଗ କରିବାକୁ ଆଗେଇ ଆସୁଛି।
ବ୍ରହ୍ମୋସ୍କୁ ଟକ୍କର ଦେଇପାରିବ
ଗୁପ୍ତ ତଥ୍ୟ ନେବାରେ ବିଫଳ ପାକ୍
ଏସ୍-୪୦୦ ଚୁକ୍ତି ନିଦ ହଜାଇଦେଇଛି
ପେଇଚିଙ୍ଗ୍ର ଜଣେ ସାମରିକ ବିଶେଷଜ୍ଞଙ୍କ କହିବାନୁସାରେ ଭାରତର ବ୍ରହ୍ମୋସ୍ ତୁଳନାରେ ଚୀନ୍ ଅଧିକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ନିର୍ମାଣ କରିଛି। ବ୍ରହ୍ମୋସ୍ର ଦାମ ଅଧିକ ହୋଇଥିବା ବେଳେ ଏହା କମ୍ ଉପଯୋଗୀ। କିନ୍ତୁ ଚୀନ୍ ନିର୍ମାଣ କରିଥିବା କ୍ଷେପଣାସ୍ତ୍ର ଦାମ ଆପେକ୍ଷିକ କମ୍ ଥିବା ବେଳେ ଏହାର କ୍ଷମତା ବେଶ୍ ଅଧିକ ରହିଛି। ବ୍ରହ୍ମୋସ୍ ଏହାର ମୁକାବିଲା କରିପାରିବ ନାହିଁ। ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ତିଆରି କରିଥିବା କମ୍ପାନି ସମସ୍ତଙ୍କୁ ଏହି କ୍ଷେପଣାସ୍ତ୍ର ବିକ୍ରି କରିବ ନାହିଁ। କେବଳ ନିଜ ଦାୟିତ୍ବକୁ ଭଲ ଭାବେ ବୁଝୁଥିବା ରାଷ୍ଟ୍ରଗୁଡ଼ିକ ପାଇଁ ଏହା କ୍ଷେପଣାସ୍ତ୍ର ତିଆରି କରିଥାଏ। ପାକିସ୍ତାନକୁ ଏହି କମ୍ପାନି କୌଣସିମତେ କ୍ଷେପଣାସ୍ତ୍ର ଯୋଗାଇଦେବ ନାହିଁ। ଏ କଥା ଭଲ ଭାବେ ଜାଣିଥିବା ପାକିସ୍ତାନ ଚୀନ୍ ଉପରେ ନିର୍ଭରଶୀଳ ହୋଇଛି।