ପାକିସ୍ତାନରେ ମୁତୟନ ହେବେ ଚୀନ ସେନା !

ବେଜିଂ : ପାକିସ୍ତାନରେ  କାମ କରୁଥିବା ଚୀନ ନାଗରିକମାନଙ୍କ ଉପରେ ଆକ୍ରମଣ ବଢିଚାଲିଥିବାରୁ ଚୀନ ସରକାର ନିଜର ଅସନ୍ତୋଷ ପାକିସ୍ତାନକୁ ଜଣାଇଦେଇଛନ୍ତି । ଏହା ସହିତ ନିଜ ନାଗରିକଙ୍କ ସୁରକ୍ଷା ପାଇଁ ପାକିସ୍ତାନରେ ମିଲିଟାରି ପୋଷ୍ଟ ସ୍ଥାପନ ପାଇଁ ଚୀନ ନିଷ୍ପତ୍ତି ନେଇଛି ଓ ଏ ସମ୍ପର୍କରେ ପାକିସ୍ତାନର ସେନାମୁଖ୍ୟ ଜେନେରାଲ କମର ବାହାଦୁର ବାଜଓ୍ବାଙ୍କୁ ଜଣାଇଦେଇଛି ।

ନିକଟରେ ପାକିସ୍ତାନର ସେନାମୁଖ୍ୟ ଚୀନ ଗସ୍ତରେ ଯାଇ ଚୀନର ବରିଷ୍ଠ ସେନାଧିକାରୀମାନଙ୍କୁ ଭେଟିଥିଲେ । ଏହି ଅବସରରେ ଚୀନ ପକ୍ଷରୁ ପାକିସ୍ତାନରେ ନିର୍ମାଣାଧୀନ ଚାଇନା-ପାକିସ୍ତାନ-ଇକନୋମିକ କରିଡର (ସିପିଇସି) ରେ କାର୍ଯ୍ୟରତ ଚୀନ ନାଗରିକମାନଙ୍କ ଉପରେ ବେଲୁଚ ବିଦ୍ରୋହୀଙ୍କ ପକ୍ଷରୁ ହେଉଥିବା ଆକ୍ରମଣକୁ ନେଇ ଚିନ୍ତା ଓ ଅସନ୍ତୋଷ ପ୍ରକଟ କରାଯାଇଥିଲା । ପାକିସ୍ତାନର ବେଲୁଚିସ୍ତାନ ବିଶେଷକରି ଗ୍ବାଦାର ପୋର୍ଟରେ ମିଲିଟାରୀ ଆଉଟପୋଷ୍ଟ ସ୍ଥାପନ ପାଇଁ ଚୀନ ଚାହୁଁଛି । ଏସବୁ ଆଉଟପୋଷ୍ଟରେ ଚୀନର ସେନା ମୁତୟନ ରହିବେ ଓ ଚୀନ ନାଗରିକଙ୍କ ସୁରକ୍ଷା କରିବେ ।

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ଜଣେ ଆତ୍ମଘାତି ବେଲୋଚ ମହିଳା ୨୬ରେ ପାକିସ୍ତାନର କରାଚୀଠାରେ ଥିବା କନଫୁସିଅସ ଇନଷ୍ଟିଚ୍ୟୁଟ ନିକଟରେ ଥିବା ଓ ଏକ ଭ୍ୟାନ ନିକଟରେ ବିସ୍ପୋରଣ କରିବାରୁ ୩ ଜଣ ଚୀନ ଶିକ୍ଷକ ମୃତ୍ୟୁବରଣ କରିଥିଲେ । ଏହା ପରେ କନଫୁସିଅସ ଇନଷ୍ଟିଚ୍ୟୁଟରେ ପଢାଉଥିବା ଅବଶିଷ୍ଟ ୧୨ ଜଣ ଶିକ୍ଷକ ଚୀନ ପଳାଇଯାଇଛନ୍ତି । ଗଲାବେଳେ ସେମାନେ ମୃତ ୩ ଚୀନ ଶିକ୍ଷକଙ୍କ ମୃତଦେହ ନେଇଯାଇଛନ୍ତି । ପାକିସ୍ତାନରେ ନିଷିଦ୍ଧ ଘୋଷିତ ବେଲୋଚ ମୁକ୍ତି ବାହିନୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ।

 

 

ସମ୍ବନ୍ଧିତ ଖବର