କୋଭିଡ ମାମଲାରେ ବୃଦ୍ଧି ପରେ ଭାରତରୁ ବିମାନ ଯାତ୍ରାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଲା ଚୀନ୍

ନୂଆଦିଲ୍ଲୀ: କୋଭିଡ -୧୯ ମାମଲାରେ ବୃଦ୍ଧି ଘଟିବା ପରେ ଚୀନ୍ ଗୁରୁବାର ଦିନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଭାରତରୁ ବିମାନ ଯାତ୍ରାକୁ ସ୍ଥଗିତ ରଖିଛି। ଭାରତ ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟିକ ବିମାନ ଚଳାଚଳ ଆରମ୍ଭ ହୋଇ ନ ଥିବା ବେଳେ ଏୟାର ଇଣ୍ଡିଆ ଗତ ସପ୍ତାହରେ ବନ୍ଦେ ଭାରତ ମିଶନ (ଭିବିଏମ୍) ଅଧିନରେ ଚୀନର ବିଭିନ୍ନ ସହରକୁ ଉଡାଣ ଭରିଥିଲା । ପୂର୍ବରୁ ବ୍ରିଟେନ, ବେଲଜିୟମ ଏବଂ ଫିଲିପାଇନ୍ସରୁ ଅଣ-ଚାଇନିଜ୍ ନାଗରିକଙ୍କ ପ୍ରବେଶକୁ ବାରଣ କରିବା ପାଇଁ ବେଜିଂ ସମାନ ଘୋଷଣା କରିଥିଲା ଏବଂ ଆମେରିକା, ଫ୍ରାନ୍ସ ଏବଂ ଜର୍ମାନୀରୁ ଆସୁଥିବା ଯାତ୍ରୀମାନଙ୍କୁ ଅତିରିକ୍ତ ସ୍ୱାସ୍ଥ୍ୟ ପରୀକ୍ଷଣର ଦସ୍ତାବିଜ ଦେବାକୁ ବିଜ୍ଞପ୍ତି ଜାରି କରିଥିଲା। କରୋନା ଭାଇରସର ସଂକ୍ରମଣକୁ ରୋକିବାକୁ ଏହି ପଦକ୍ଷେପ ଚୀନ ସରକାର ଗ୍ରହଣ କରିଛନ୍ତି।

ଗତ ମାର୍ଚ୍ଚ ମାସ ଶେଷରେ ମହାମାରୀ ବ୍ୟାପିବା ପରେ ବିଦେଶୀମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଥିଲା ଚୀନ। ବର୍ତ୍ତମାନର ଘୋଷଣା ଅନୁଯାୟୀ, ବନ୍ଦେ ଭାରତ ମିଶନ ଅଧୀନରେ ନଭେମ୍ବର ୧୩ରୁ ପ୍ରତି ସପ୍ତାହରେ ଧାର୍ଯ୍ୟ ହୋଇଥିବା ଚାରିଟି ଉଡାଣ ବାତିଲ ହେବ | ବେଜିଂର ଅଧିକାରୀମାନେ କହିଛନ୍ତି ଯେ ଚୀନ ଫେରିବା ପାଇଁ ୧୫୦୦ରୁ ଅଧିକ ଭାରତୀୟ ପଞ୍ଜୀକୃତ ହୋଇଥିଲେ; ମାତ୍ର ବର୍ତ୍ତମାନ ସେମାନଙ୍କ ଫେରିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ମହାମାରୀର ମୁକାବିଲା ପାଇଁ ଏହା ଏକ ଯୁକ୍ତିଯୁକ୍ତ ଏବଂ ଉଚିତ ପଦକ୍ଷେପ ବୋଲି ଚୀନ ବୈଦେଶିକ ମନ୍ତ୍ରାଳୟ କହିଛି।

ସମ୍ବନ୍ଧିତ ଖବର

Comments are closed.