ପୁଣି ଚୀନ୍‌ର ନାଲି ଆଖି:ଡୋକ୍‌ଲାମ ଆମର

ନୂଆଦିଲ୍ଲୀ: ଡୋକ୍‌ଲାମ୍‌ ପ୍ରସଙ୍ଗକୁ ନେଇ ଆଜି ପୁଣିଥରେ ଚୀନ୍‌ ଭାରତକୁ ନାଲି ଆଖି ଦେଖାଇଛି। ଭାରତକୁ ନଜଣାଇ ଡୋକଲାମ୍‌ରେ ଚୀନ୍‌ ସ୍ଥାୟୀ ନିର୍ମାଣ କରିବା ଯଥାର୍ଥ ନୁହେଁ ବୋଲି ଭାରତୀୟ ରାଷ୍ଟ୍ରଦୂତ ଗୌତମ ବମ୍ବାଓ୍ଵଲେ ମତ ରଖିବା ଏବଂ ନିଜର ସାର୍ବଭୌମତ୍ୱ ରକ୍ଷା ପାଇଁ ଭାରତୀୟ ସେନା କିଛି ବି କରିବାକୁ ପ୍ରସ୍ତୁତ ବୋଲି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ମନ୍ତବ୍ୟ ଦେବା ପରେ ଆଜିି ଚୀନ୍‌ ନିଜ ଦାଦାଗିରି ଇଙ୍ଗିତ କରିଛି। ‘ଡୋକ୍‌ଲାମ୍‌ ଆମର,ଏଠାରେ ଯାହା ବି କଲେ ଭାରତ ପ୍ରଶ୍ନ କରିବାକୁ କିଏ’ ବୋଲି ପଚାରିଛି। ଗତଥରର ଗତିରୋଧରୁ ଭାରତ କିଛି ଶିକ୍ଷାଲାଭ କରୁ ବୋଲି ମଧ୍ୟ ଚୀନ୍‌ ଧମକ ଦେଇଛି। ଚୀନ୍‌ ଇତିହାସ ସହ ଡୋକ୍‌ଲାମ୍‌ କେଉଁ କାଳରୁ ଯେଡ଼ିି ହୋଇ ରହିଛି। ସେଠାରେ ଯାହା ବି ନିର୍ମାଣ ଚାଲିଛି, ସେଥିରେ ଚୀନ୍‌ରେ ଯଥେଷ୍ଟ ଅଧିକାର ରହିଥିବା ଚୀନ୍‌ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ହୁଆ ଚୁନିଂ କହିଛନ୍ତି। ସେଠାରେ ପୂର୍ବସ୍ଥିତିର ପରିବର୍ତ୍ତନ ନେଇ ଭାରତ କରୁଥିବା ଅଭିଯୋଗକୁ ଗ୍ର୍ରହଣ କରାଯାଇପାରିବ ନାହିଁ ବୋଲି ଚୁନିଂ ଦୃଢ଼ୋକ୍ତି ପ୍ରକାଶ କରିିଛନ୍ତି।
ସୂଚନା ଥାଉ କି, ଗତବର୍ଷ ସେପ୍ଟେମ୍ବର ମାସରେ ସିକିମ୍‌-ତିବ୍ଦତ-ଭୁଟାନ୍‌ ସୀମାର ବିବାଦୀୟ କ୍ଷେତ୍ର ତଥା ଅତି ସମ୍ବେଦନଶୀଳ ଡୋକ୍‌ଲାମର ପଠାର ଇଲାକାରେ ଚୀନର ରାସ୍ତା ନିର୍ମାଣ କାର୍ଯ୍ୟକୁ ଭାରତ ବିରୋଧ କରିଥିଲା। ସେଥିପାଇଁ ଦୀର୍ଘ ୭୩ ଦିନ ଯାଏ ଭାରତ ଓ ଚୀନ୍‌ ସେନାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଉଭୟ ଦେଶର କୂଟନୈତିକ ଆଲୋଚନା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। କିନ୍ତୁ ଆଜି ଗଣମାଧ୍ୟମକୁ ବିବୃତି ଦେଇ ଚୁନିଂ ଭିନ୍ନ କଥା କହିଛନ୍ତି। ଚୀନ୍‌ର ଦୟାଭାବ ଏବଂ ଶାନ୍ତିକାମୀ ମାନସିକତା ଯୋଗୁଁ ଉକ୍ତ ସ୍ଥାନରୁ ସେନା ହଟିଥିଲେ ବୋଲି ସେ କହିଛନ୍ତି। ଉକ୍ତ ଘଟଣା ସୁଧୁରିବା ପରେ ମଧ୍ୟ ଡୋକ୍‌ଲାମ୍‌କୁ ନେଇ ଚୀନ୍‌ର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆସିନି ବୋଲି ଦୁଇ ଦିନ ତଳେ ଭାରତୀୟ ରାଷ୍ଟ୍ରଦୂତ ବମ୍ବାଓ୍ଵଲେ କହିବା ପରେ ଚୀନ୍‌ ଏପରି ପ୍ରତିକ୍ରିୟା ରଖିଛି।
ଉଲ୍ଲେଖଯୋଗ୍ୟ, ଭାରତ-ଚୀନ୍‌ ମଧ୍ୟରେ ୩୪୮୮ କିମି ଦୀର୍ଘର ପ୍ରକୃତ ନିୟନ୍ତ୍ରଣ ସୀମା ରେଖା ଚିହ୍ନଟ ସରିଥିବା ବେଳେ ଦୁଇ ଦେଶର ପୂର୍ବ, ମଧ୍ୟ ଓ ପଶ୍ଚିମ ପାର୍ଶ୍ୱ ଏବେ ବି ବିଧିବଦ୍ଧ ଭାବେ ଚିହ୍ନଟ ହୋଇନାହିଁ। ଉଭୟ ଦେଶ ମଧ୍ୟରେ ବାରମ୍ବାର ଲାଗି ରହିଥିବା ଏହି ସୀମା ବିବାଦର ସମାଧାନ ପାଇଁ ୨୦ରୁ ଅଧିକ ଥର ଦ୍ୱିପାକ୍ଷିକ ଆଲୋଚନା ସରିଛି। ଏହା ସତ୍ତ୍ୱେ ଏଥିରେ କୌଣସି ପ୍ରଭାବ ପଡ଼ିପାରିନାହିଁ।

ସମ୍ବନ୍ଧିତ ଖବର