ଆମେରିକାକୁ ଧମକାଇଲା ଚୀନ୍‌: ଭାରତ-ଚୀନ୍‌ ସଂପର୍କରେ ହସ୍ତକ୍ଷେପ କରନାହିଁ

ନୂଆଦିଲ୍ଲୀ: ଚୀନ୍‌ ସୀମାରେ ଏବେ ଭାରତ-ଆମେରିକା ମିଳିତ ସମରାଭ୍ୟାସ ଚଳାଇଛନ୍ତି ଏବଂ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଚୀନ୍‌ର ପ୍ରତିଟି ଚାଲ୍‌କୁ ଭାରତୀୟ ସେନା ପଣ୍ଡ କରୁଛି। ଆମେରିକା-ଭାରତ ମଧ୍ୟରେ ସାମରିକ ରଣନୀତିକ ସଂପର୍କ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏଥିରେ ବିଚଳିତ ଚୀନ୍‌ ଆମେରିକାକୁ ଧମକାଇଛି। ଭାରତ-ଚୀନ୍‌ ସଂପର୍କରେ ଆମେରିକୀୟ ଅଧିକାରୀମାନେ ମୁହଁ ବନ୍ଦ ରଖିବା ଉଚିତ ଏବଂ ଏଥିରେ କୌଣସି ହସ୍ତକ୍ଷେପ ବରଦାସ୍ତ କରାଯିବ ନାହିଁ ବୋଲି ଚୀନ୍‌ ଚେତାବନୀ ଦେଇଛି। ପେଣ୍ଟାଗନ୍‌ ରିପୋର୍ଟ ମୁତାବକ, ଚୀନ୍‌ ଭାରତ ସହିତ ସୀମାରେ ନିଜ ଯୋଜନା ମୁତାବକ କାମ କରିବାକୁ ଚାହୁଛି ଏବଂ ଏଥିରେ ଆମେରିକାର କୌଣସି ହସ୍ତକ୍ଷେପ ଏବଂ ଟିପ୍ପଣୀକୁ ଗ୍ରହଣ କରିବ ନାହିଁ ବୋଲି କହିଛି।

ଭାରତ-ଆମେରିକା ସଂପର୍କ ଘନିଷ୍ଠ ହେବା ଚୀନ୍‌ ଚାହୁନଥିବାରୁ ଏଭଳି ଧମକ ଦେଇଥିବା ପେଣ୍ଟାଗନ ପକ୍ଷରୁ କୁହାଯାଇଛି। ଚୀନ୍‌ ଆଶଙ୍କା କରୁଛି ଯେ ଯଦି ଭାରତ ଏବଂ ଆମେରିକା ଦ୍ବିପାକ୍ଷିକ ସଂପର୍କ ଅଧିକ ମଜବୁତ କରିବେ ତା’ହେଲେ ଭାରତ ଚୀନ୍‌ ସହିତ ତା’ର ବାଣିଜ୍ୟ ସଂପର୍କକୁ ମଧ୍ୟ ସଙ୍କୁଚିତ କରିଦେବ।
ଭାରତ-ଚୀନ୍‌ ସୀମା ପ୍ରସଙ୍ଗରେ ପେଣ୍ଟାଗନ ଏକ ରିପୋର୍ଟରେ କହିଛି ଯେ ୨୦୨୦ରେ ଗଲୱାଲ ଘାଟିରେ ଭାରତ-ଚୀନ୍‌ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଚୀନ୍‌ ଏଲ୍‌ଏସିରେ ସୈନ୍ୟ ମୁତୟନ ବଢ଼ାଇବା ସହ ସ୍ଥାୟୀ ନିର୍ମାଣ ଜାରି ରଖିଛି। ଏହାର ମୁକାବିଲା ପାଇଁ ଭାରତ ମଧ୍ୟ ସର୍ବାଧିକ ସୁରକ୍ଷା ପଦକ୍ଷେପ ଗ୍ରହଣ କରିଥିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଚୀନ୍‌ର ସେନା ପ୍ରତ୍ୟାହାର ଘୋଷଣାକୁ ଆମେରିକା ପ୍ରତ୍ୟାଖ୍ୟାନ କରିବା ସହ ଏହାର ଉଦ୍ଦେଶ୍ୟ ଭିନ୍ନ ବୋଲି ଦର୍ଶାଇବା ପରେ ଚୀନ୍‌ ଏଥିରେ କ୍ଷୁବ୍ଧ ହୋଇ ଆମେରିକାକୁ ଧମକାଇଥିବା କୁହାଯାଉଛି। ଭାରତ ଓ ଚୀନ୍‌ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଚାଲିଥିବା କମାଣ୍ଡରସ୍ତରୀୟ କଥାବାର୍ତ୍ତା ବିଫଳ ହେବା ପଛରେ ଚୀନ୍‌ର ଏକଚାଟିଆ ବ୍ୟବହାର ହିଁ ଦାୟୀ ବୋଲି ମଧ୍ୟ ପେଣ୍ଟାଗନ ରିପୋର୍ଟରେ କୁହାଯାଇଛି।

ଗଲୱାନ ସଂଘର୍ଷରେ ଭାରତ ନିଜର ୨୦ ସୈନିକଙ୍କୁ ହରାଇଥିବା ଆନୁଷ୍ଠାନିକ ଭାବେ ସ୍ବୀକାର କରିଥିବା ବେଳେ ଚୀନ୍‌ ଆଜି ପର୍ଯ୍ୟନ୍ତ ନିଜର ମୃତ ସୈନିକଙ୍କ ବାବଦରେ କୌଣସି ତଥ୍ୟ ଦେଇନାହିଁ। ତେବେ ଚୀନ୍‌ର ୩୮ ଜଣ ସୈନିକ ଏହି ସଂଘର୍ଷରେ ନିହତ ହୋଇଥିବା ଅଷ୍ଟ୍ରେଲିଆର ଏକ ଅନୁସନ୍ଧାନମୂଳକ ରିପୋର୍ଟରେ ପ୍ରକାଶ ପାଇଥିବା ବେଳେ ଆମେରିକାର ଏକ ରିପୋର୍ଟରେ ଚୀନ୍‌ର ୬୦ ସୈନିକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା। ଇତିମଧ୍ୟରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଏବଂ ବରିଷ୍ଠ ସେନା ଅଧିକାରୀମାନେ ପାକ୍‌ ଅଧିକୃତ କାଶ୍ମୀର (ପିଓକେ)କୁ ନେଇ ଦେଇଥିବା ବୟାନ ମଧ୍ୟ ଚୀନ୍‌ର ମୁଣ୍ଡବିନ୍ଧାର କାରଣ ପାଲଟିଛି। ସରକାର ଆଦେଶ ଦେବା ମାତ୍ରେ ପିଓକେ ଦଖଲ ଅଭିଯାନ ଆରମ୍ଭ ହେବ ବୋଲି ସେନାର ବୟାନ ପରେ ପାକିସ୍ତାନ ବିଚଳିତ ହୋଇଉଠିଛି। ସୂଚନାଯୋଗ୍ୟ, ପିଓକେରେ ଚୀନ୍‌ ବିପୁଳ ପୁଂଜିନିବେଶ କରିଛି ଏବଂ ଏହାର ଆର୍ଥିକ କରିଡର କାମ ଜାରି ରହିଛି। ଆମେରିକା ପ୍ରତିରକ୍ଷା ବିଭାଗର ବାର୍ଷିକ ରିପୋର୍ଟରେ କୁହାଯାଇଛି, ଭାରତ ମହାସାଗରରେ ଚୀନ୍‌ ତା’ର ଶକ୍ତିକୁ ଆଶାତୀତ ଭାବେ ବୃଦ୍ଧି କରି ଦାଦାଗିରି ଦେଖାଇଚାଲିଛି। ଚୀନ୍‌ ବର୍ଷକ ମଧ୍ୟରେ ବିମାନବାହୀ ଯୁଦ୍ଧପୋତ ମୁତୟନ ସହିତ ଅଧିକ ବୁଡ଼ାଜାହାଜ ମୁତୟନ କରି ଅନ୍ୟମାନଙ୍କ ପାଇଁ ବଡ଼ ବିପଦ ପାଲଟିଛି।

ସମ୍ବନ୍ଧିତ ଖବର