ତାଲିବାନ ସହଯୋଗରେ କେନ୍ଦ୍ରୀୟ ଏସିଆରେ ଆଧିପତ୍ୟ କରିବ ଚୀନ୍: ରିପୋର୍ଟ

କାବୁଲ: ଆମେରିକା ୨୦ ବର୍ଷ ପରେ ଯୁଦ୍ଧ-ବିଧ୍ବସ୍ତ ଆଫଗାନିସ୍ତାନ ଛାଡ଼ି ଚାଲିଯିବା ପରେ ସେଠାରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି, ତାହାକୁ ପୂରଣ କରିବା ଲାଗି ଚୀନ୍ ଆଗ୍ରହୀ ଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏହାଦ୍ବାରା କେନ୍ଦ୍ରୀୟ ଏସିଆରେ ନିଜର ଆଧିପତ୍ୟ ଜାହିର କରିବାରେ ଚୀନ୍‌କୁ ସୁବିଧା ହେବ। ଏକ ଅନ୍ତର୍ଜାତୀୟ ବିଶ୍ଲେଷଣ ୱେବ୍‌ସାଇଟ୍ ଇନ୍‌ସାଇଡ୍ଓଭରରେ ଫେଡେରିକୋ ଗିଲିଆନି ଲେଖିଛନ୍ତି ଯେ, ରୁଷିଆ ସମେତ କେନ୍ଦ୍ରୀୟ ଏସିଆରେ ନିଜର ଆଧିପତ୍ୟ ଜାହିର କରିବା ପାଇଁ ଚୀନ୍ ବହୁକାଳୁ ଚାହିଁବସିଛି। ସାଙ୍ଘାଇ ସେଣ୍ଟ୍ରାଲ ଅର୍ଗାନାଇଜେସନ (ଏସ୍‌ସିଓ) ମାଧ୍ୟମରେ ସେ ତା’ ଯୋଜନାକୁ ରୂପ ଦେବାରେ ଲାଗିଛି। କିନ୍ତୁ ଗୋଟିଏ ଅଭାବ ରହିଥିଲା।

ଆଫଗାନିସ୍ତାନରେ ଆମେରିକା ସେନା ମୁତୟନ କରିବା ପରେ ଚୀନ୍‌କୁ ନିଜର ଅର୍ଥନୈତିକ ପଦଚିହ୍ନ ସମ୍ପ୍ରସାରିତ କରିବା ପାଇଁ ଆବଶ୍ୟକ ସୁରକ୍ଷା ଓ ସ୍ଥିରତା ମିଳିଥିଲା। ତଥାପି ଆଫଗାନିସ୍ତାନରେ ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ସୈନ୍ୟଙ୍କ ଉପସ୍ଥିତି ହେତୁ ଚୀନ୍‌କୁ ନିଜ ଯୋଜନାରେ ଆଗେଇବାରେ ପୂର୍ଣ୍ଣ ସ୍ବାଧୀନତା ମିଳୁ ନ ଥିଲା। ଗିଲିଆନି ଲେଖିଛନ୍ତି ଯେ, ଆମେରିକା ସମେତ ପାଶ୍ଚାତ୍ୟ ସହଯୋଗୀ ଦେଶଙ୍କ ବିଦାୟ ପରେ ଚୀନ୍‌କୁ ଏବେ ଆଫଗାନିସ୍ତାନରେ ନିଜ ଖେଳ ଖେଳିବାକୁ ସୁବିଧା ହେବ। ଆମେରିକା ପୂର୍ଣ୍ଣ ସେନା ପ୍ରତ୍ୟାହାର କରୁ ନ କରୁଣୁ ଚୀନ୍ ଘୋଷଣା କରିଛି ଯେ, ଆଫଗାନିସ୍ତାନ ଓ ତାଲିବାନ ସହ ସେମାନଙ୍କର ବନ୍ଧୁତାପୂର୍ଣ୍ଣ ସମ୍ପର୍କ ରହିବ ଏବଂ ତାଲିବାନ ସରକାରକୁ ଚୀନ ସମର୍ଥନ କରିବ।

ସମ୍ବନ୍ଧିତ ଖବର