ପାକିସ୍ତାନରେ ହେବ ଚୀନର ୨ୟ ସାମରିକ ଘାଟି : ସ୍ପଷ୍ଟ କଲା ଗ୍ଲୋବାଲ ଟାଇମ୍ସ

ବେଜିଂ : ଇରାନରେ ଭାରତ ଚାବାହାର ବନ୍ଦରର ବିକାଶ କରୁଥିବାବେଳେ, ସେଠାରୁ ଅଳ୍ପ କିଛି ଦୂରରେ ପାକିସ୍ତାନ ସୀମା ମଧ୍ୟରେ ଚୀନ ନିଜର ଏକ ସାମରିକ ଘାଟି ନିର୍ମାଣ କରୁଛି । ଏକଥା ଧୀରେ ଧୀରେ ସ୍ପଷ୍ଟ ହେଉଛି । ବିଶେଷକରି ପାକିସ୍ତାନ-ଆମେରିକା ସଂପର୍କ ଖରାପ ଆଡ଼କୁ ଗତି କରୁଥିବାରୁ ଚୀନ ତାହାର ଫାଇଦା ନେବା ପାଇଁ ଉଦ୍ୟମ ଆରମ୍ଭ କରିଛି ।

ଚୀନର ସରକାରୀ ମୁଖପତ୍ର ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଏକ ଲେଖା ଅନୁସାରେ ପାକିସ୍ତାନ-ଆମେରିକା ସଂପର୍କ ଖରାପ ହେବା ଦ୍ୱାରା ଚୀନ ଲାଭରେ ରହୁଛି । ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ନିବିଡ଼ କରିବାକୁ ଉଭୟ ଦେଶ ଚୀନ ମୁଦ୍ରା ୟୁଆନରେ କାରବାର କରିବାକୁ ରାଜି ହୋଇଛନ୍ତି । ଏହା ସହିତ ଚୀନର କମ୍ୟୁନିଷ୍ଟ ସରକାର ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର ପାଇଁ ନିବେଶ ପରିମାଣ ୫୦ ବିଲିୟନ ଡଲାରକୁ ବଢାଇବା ପାଇଁ ରାଜି ହୋଇଛି ।

The Indian Express

ଏକ ଆମେରିକୀୟ ସୁତ୍ରକୁ ଉଦ୍ଧାର କରି ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ ପାକିସ୍ତାନରେ ଚୀନ ନିଜର ୨ୟ ବିଦେଶୀ ସାମରିକ ଘାଟି ନିର୍ମାଣ କରିବାକୁ ଯାଉଛି । ଏ ନେଇ ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ଚାଲିଛି । ଚାବାହାର ବନ୍ଦର ନିକଟବର୍ତ୍ତି ଇରାନ ସୀମାକୁ ଲାଗିଥିବା ତଥା ବେଲୁଚିସ୍ତାନ ପ୍ରଦେଶ ଅଧିନରେ ଆସୁଥିବା ଜିଓ୍ଵାନି ଅଂଚଳରେ ଏକ ସାମରିକ କେନ୍ଦ୍ର ସ୍ଥାପନ କରିବ ଚୀନ । ଏହା ମୁଖ୍ୟତଃ ଏକ ନୌସେନା ଘାଟି ହେବ ଓ ଆରବ ସାଗର ଅଂଚଳରେ ଭାରତ ଏବଂ ଆରବ ଅଂଚଳରେ ଥିବା ଇସ୍ରାଏଲ ଓ ଆମେରିକାର ସାମରିକ ଘାଟି ଉପରେ ନଜର ରଖିବ । ଉତ୍ତର ଆଫ୍ରିକାର ଜିବୋଟି ଦେଶରେ ଚୀନର ପ୍ରଥମ ବିଦେଶୀ ସାମରିକ ଘାଟି ରହିଛି । ଏହା ସୋମାଲିଆର ଜଳଦସ୍ୟୁମାନଙ୍କ ଉପରେ ନଜର ରଖିବା ପାଇଁ ସ୍ଥାପନ କରାଯାଇଥିବା ଚୀନ ଦାବି କରୁଛି ।

ସମ୍ବନ୍ଧିତ ଖବର