ତିବ୍ବତରେ ସାମରିକ ଶକ୍ତି ବୃଦ୍ଧି ପାଇଁ ଚୀନ ସେନାର ଯୋଜନା, ଭାରତ ପାଇଁ ବିପଦ ଆଶଙ୍କା

ନୂଆଦିଲ୍ଲୀ : ଭାରତ-ଚୀନ ମଧ୍ୟରେ ଚାଲିଥିବା ସୀମାବିବାଦର ସମାଧାନ ପାଇଁ ଶୁକ୍ରବାରଦିନ ଆଉ ଏକ କମାଣ୍ଡରସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ମିଳିଥିବା ସୂଚନା ଅନୁସାରେ ଏଥରର କଥାବାର୍ତ୍ତା ଅବଶିଷ୍ଟ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ପାଇଁ ହେବ ।

ଅନ୍ୟପକ୍ଷରେ ଚୀନ ସେନାର କେତେକ ପ୍ଲାଟୁନ ଅକସାଇ ଚୀନ ଅଞ୍ଚଳକୁ ଗତି କରିବା ଆରମ୍ଭ କରିଛନ୍ତି । ସେଠାରେ ସେମାନେ ବାର୍ଷିକ ସମରାଭ୍ୟାସ କରିବାର ସମ୍ଭାବନା ରହିଛି । ଗତ ବର୍ଷ ଏପ୍ରିଲ ମାସରେ ଚୀନ ସେନା ପୂର୍ବ ଲଦାଖ ଅଞ୍ଚଳରେ ଅଭ୍ୟାସ କରିବା ବାହାନାରେ ଆସି ଆଉ ପଛକୁ ଫେରିନଥିଲେ । ଏହା ପରେ ଦୁଇ ଦେଶ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ।  ବିବାଦ ତୀବ୍ର ରୂପ ଧାରଣ କରି ଜୁନ ୨୯ରେ ଗଲଓ୍ବାନ ଘାଟିରେ ତାହା ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା । ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଥିବାବେଳେ ଚୀନ ପକ୍ଷର କେତେକ ସୈନ୍ୟ ମୃତ୍ୟୁବରଣ କରିଥିଲେ । ଏଣୁ ଏବର୍ଷ ମଧ୍ୟ ଚୀନ ଅଭ୍ୟାସ ଆରମ୍ଭ କରିବାକୁ ଯାଉଥିବାରୁ ତାହା ଉପରେ ଭାରତ ନଜର ରଖିଛି । ସେହିପରି ତିବ୍ବତରେ ବି ଚୀନ ସେନା ନିଜର ଶକ୍ତି ବଢାଇଚାଲିଛି ।

ଗୋଟିଏ ପଟେ ଚୀନ ଭାରତକୁ କଥାବାର୍ତ୍ତାରେ ବ୍ୟସ୍ତ ରଖୁଥିବାବେଳେ ଅନ୍ୟପଟେ ଲଦାଖରେ ନିଜର ସାମରିକ ଭିତ୍ତିଭୂମିକୁ  ଦୃଢ କରିଚାଲିଛି । ଗତ ମାସରେ ହୋଇଥିବା ଚୀନର ପିପୁଲ୍ସ କଂଗ୍ରେସରେ ଲଦାଖରେ ଚୀନ ସେନାର କେତେକ ସାମରିକ ପ୍ରକଳ୍ପକୁ  ମଂଜୁରୀ ଦିଆଯାଇଛି ।  ଏହାର ସିଧାସଳଖ ପ୍ରଭାବ ଭାରତ ଉପରେ ପଡ଼ିବ ।

ସମ୍ବନ୍ଧିତ ଖବର