ମଙ୍ଗଳବାରଦିନ ନିଜର ସାମରିକ ଶକ୍ତିର ପ୍ରଦର୍ଶନ କରିବ ଚୀନ : ଅନୁଷ୍ଠିତ ହେବ ସର୍ବବୃହତ ପ୍ୟାରେଡ, ପ୍ରଦର୍ଶିତ ହେବ ନୂଆ ଅସ୍ତ୍ରଶସ୍ତ୍ର

ବେଜିଂ : ଆସନ୍ତା କାଲି ଅର୍ଥାତ ମଙ୍ଗଳବାରଦିନ ଚୀନରେ କମ୍ୟୁନିଷ୍ଟ ଶାସନର ୭୦ ବର୍ଷ ପୂର୍ତ୍ତି ହେବ । କୌଣସି ଦେଶରେ ଏହା ହେଉଛି ସର୍ବାଧିକ ଲମ୍ବା କମ୍ୟୁନିଷ୍ଟ ଶାସନ । ପୂର୍ବରୁ ସୋଭିଏତ ଋଷର ଶାସନ ୬୯ ବର୍ଷ ଚାଲିଥିଲା । ଏହି ଉପଲକ୍ଷେ ଚୀନ ନିଜ ଇତିହାସର ସବୁଠାରୁ ବଡ଼ ସାମରିକ ପ୍ୟାରେଡ ପ୍ରଦର୍ଶନ କରିବାକୁ ଯାଉଛି ।

ଏହି ଅବସରରେ ଚୀନ ନିଜର କେତେକ ଅତ୍ୟାଧୁନିକ ଓ ପୂର୍ବରୁ ବିଶ୍ୱ ଦେଖିନଥିବା ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନ କରିବ । ଏହା ମଧ୍ୟରେ ରହିଛି ନୂଆ ଲଢୁଆ ବିମାନ, ଡ୍ରୋନ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ନୂଆ କ୍ଷେପଣାସ୍ତ୍ର, ରାଡାର ସିଷ୍ଟମ ଇତ୍ୟାଦି ।
ବିଶେଷଜ୍ଞଙ୍କ ମତରେ ଚୀନ ନିଜକୁ ସୁପରପାଓ୍ଵାର ଭାବେ ଦେଖିବାକୁ ଚାହୁଁଥିବାରୁ ସମଗ୍ର ବିଶ୍ୱରେ ନିଜର ସାମରିକ ଶକ୍ତିର ପ୍ରଦର୍ଶନ କରିବାକୁ ଚାହୁଁଛି । ଚୀନ ଏବେ ଆମେରିକା ସହିତ ବାଣିଜ୍ୟ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛି । ଏହାଛଡା ହଂକଂରେ ଗଣତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ ତୀବ୍ର ହୋଇଛି । ଏହାକୁ ଦୃଷ୍ଟିରେ ରଖି ଚୀନର କମ୍ୟୁନିଷ୍ଟ ପାର୍ଟି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଛି ।

ସମ୍ବନ୍ଧିତ ଖବର