କରୋନାଭାଇରସ୍ ବିସ୍ତାରକୁ ବୈଶ୍ବିକ ସ୍ବାସ୍ଥ୍ୟ ସଙ୍କଟ ଘୋଷଣା ନ କରିବାକୁ ‘ଡବ୍ଲୁଏଚ୍ଓ’ ଉପରେ ଚାପ ପକାଇଥିଲା ଚୀନ୍: ସିଆଇଏ ରିପୋର୍ଟ

ନୂଆଦିଲ୍ଲୀ: କରୋନାଭାଇରସ୍ ବିସ୍ତାରକୁ ବୈଶ୍ବିକ ସ୍ବାସ୍ଥ୍ୟ ସଙ୍କଟ ଭାବେ ଘୋଷଣା ନ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଉପରେ ଚୀନ୍ ଚାପ ପକାଇବାକୁ ଉଦ୍ୟମ କରିଥିଲା ବୋଲି ଆମେରିକାର ଗୁଇନ୍ଦା ସଂଗଠନ ‘ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍‌ସ୍ ଏଜେନ୍ସି’ କହିଛି। ‘ନିଉଜ୍‌ଉଇକ୍’ରେ ସିଆଇଏ ଏ ଭଳି ଦାବି କରିଥିବା ରିପୋର୍ଟ ପ୍ରକାଶ ପାଇଛି।

Image Source: India Today

ରିପୋର୍ଟରେ ସିଆଇଏ କହିଛି ଯେ, ‌କରୋନାଭାଇରସ୍‌କୁ ବୈଶ୍ବିକ ସ୍ବାସ୍ଥ୍ୟ ସଙ୍କଟ ଘୋଷଣା କଲେ ସହଯୋଗ ବନ୍ଦ କରିବ ବୋଲି ଚୀନ୍ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଧମକ ଦେଇଥିଲା।

ସ୍ପେନ୍ ଓ ଇଟାଲି ଭଳି ଦେଶରେ ବହୁସଂଖ୍ୟରେ କରୋନାଭାଇରସ୍ ସଂକ୍ରମିତ ବ୍ୟକ୍ତି ବାହାରିବା ପରେ ଜାନୁଆରି ମାସରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଚୀନ୍ ଏ ଭଳି ଧମକ ଦେଇଥିଲା। ସେତେବେଳକୁ ଚୀନ୍‌ରେ ୮୦ ହଜାରରୁ ଅଧିକ ଜନତା ସଂକ୍ରମିତ ହୋଇସାରିଥିଲେ।

କିନ୍ତୁ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ସେମାନେ ନିଜ ଧାରାରେ କାମ କରିଛନ୍ତି। ଡବ୍ଲୁଏଚ୍‌ଓର ମୁଖ୍ୟ ଟେଡ୍‌ରସ୍ ଆନ୍ଧନୋମ୍ ଘେବ୍ରେୟେସ୍‌ସ୍ ଏବଂ ଜି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଜାନୁଆରି ମାସରେ କୌଣସି ଆଲୋଚନା ହୋଇ ନାହିଁ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର