ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ବିଗିଡ଼ିଛି। ଦୁଇ ଦେଶ ମୁହାଁମୁହିଁ ପରିସ୍ଥିତିରେ ଅଛନ୍ତି। ଏଭଳି ସମୟରେ ପାକିସ୍ତାନକୁ ଚୀନ ଓ ତୁର୍କୀ ସମର୍ଥନ ଦେବା ଆରମ୍ଭ କରିଛନ୍ତି। ଇସଲାମାବାଦକୁ ଇସ୍ତାନ୍‌ବୁଲ ଯୁଦ୍ଧାସ୍ତ୍ର ପଠାଇଛି। ତୁର୍କୀ ବାୟୁ ସେନାର ସି-୧୩୦ ହର୍କ୍ୟୁଲେସ୍‌ ସାମରିକ ପରିବହନ ବିମାନ ରବିବାର କରାଚିରେ ପହଞ୍ଚିଛି। ସେଥିରେ ସାମରିକ ସାମଗ୍ରୀ ରହିଛି। କରାଚୀ ବ୍ୟତୀତ ତୁର୍କୀର ୬ଟି ଏହି ଧରଣର ବିମାନ ଇସଲାମାବାଦର ଏକ ସାମରିକ ଘାଟିରେ ଅବତରଣ କରିଛି। ତେବେ ତୁର୍କୀର ଯୋଗାଯୋଗ ନିର୍ଦ୍ଦେଶାଳୟ ଏହି ଖବରକୁ ଖଣ୍ଡନ କରିଛି। 

Advertisment

ଅତୀତରେ ଚୀନ ମଧ୍ୟ ପାକିସ୍ତାନକୁ ଡ୍ରୋନ୍ ଯୋଗାଇ ଆସିଛି। ଏଭଳି ସ୍ଥିତିରେ ଚୀନ ଏବଂ ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ତଥା ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ଗତକାଲି ଟେ‌ଲିଫୋନରେ କଥାବାର୍ତ୍ତା ହୋଇଛି। ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୱି ଉଭୟ ନୂଆଦିଲ୍ଲୀ ଓ ଇସଲାମାବାଦକୁ ସଂଯମତା ଅବଲମ୍ବନ କରିବାକୁ କହିଛନ୍ତି। ପାକିସ୍ତାନ ବିଦେଶମନ୍ତ୍ରୀ ଇସାକ ଦର୍‌ଙ୍କ ସହ ଆଲୋଚନା ସମୟରେ ୱାଙ୍ଗ କହିଛନ୍ତି ଯେ ଚୀନ ଅତି ନିକଟରୁ ଏହି ଘଟଣାକୁ ନିରୀକ୍ଷଣ କରୁଛି। ପହଲଗାମ ଆକ୍ରମଣ ଘଟଣାର ନିରପେକ୍ଷ ତଦନ୍ତକୁ ଚୀନ ସମର୍ଥନ କରୁଥିବା ତାଙ୍କ ଦେଶର ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। 

ସେହିଭଳି ଆମେରିକାର ବିଦେଶ ମନ୍ତ୍ରାଳୟ ପକ୍ଷରୁ ରବିବାର କୁହାଯାଇଛି ଯେ ତାଙ୍କ ଦେଶ ଉଭୟ ଭାରତ ଓ ପାକିସ୍ତାନ ସହ ଯୋଗାଯୋଗରେ ରହିଛି। କୂଟନୈତିକ ଉପାୟରେ ଦାୟିତ୍ବପୂର୍ଣ୍ଣ ସମାଧାନର ରାସ୍ତା ବାହାର କରିବା ପାଇଁ ଆମେରିକା କହିଛି। ଆମେରିକା ସରକାର ଭାରତ ପ୍ରତି ସମର୍ଥନ ଦେଖାଇଥିଲେ ମଧ୍ୟ ଆକ୍ରମଣ ପାଇଁ ପାକିସ୍ତାନକୁ ନିନ୍ଦା କରିବାରୁ ଦୂରେଇ ରହିଛି। ପହଲଗାମ ଆକ୍ରମଣ ପରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜଗୁଡ଼ିକ ସେମାନଙ୍କ ପ୍ରସ୍ତୁତି ଆରବ ସାଗରରେ ଚଳାଇଛନ୍ତି। ରବିବାର ନୌସେନା ପକ୍ଷରୁ ଏ ନେଇ ଏକାଧିକ ଫଟୋ ଏବଂ ଭିଡିଓ ଜାରି କରାଯାଇଛି। ଦେଶର ସୁରକ୍ଷା ପାଇଁ ଭାରତୀୟ ନୌସେନା ସବୁବେଳେ, ସବୁସ୍ଥାନରେ ପ୍ରସ୍ତୁତ ଅଛି ବୋଲି କହିଛି। ଗତ ସପ୍ତାହରେ ଭାରତୀୟ ନୌସେନା ‘ଆଇଏନ୍‌ଏସ୍‌ ସୁରଟ’ରୁ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଥିଲା।