ଚୀନ୍‌ ପ୍ରକାଶ କଲା ପ୍ରତିରକ୍ଷା ଶ୍ୱେତପତ୍ର: ଡୋକଲାମ୍‌ ଠାରୁ ଆରମ୍ଭ କରି ଭାରତ-ପାକ ସଂପର୍କକୁ ନେଇ ଉଠାଇଲା ଅଙ୍ଗୁଳି

 ବେଜିଂ:ଚୀନ୍‌ ଆଜି (ବୁଧବାର) ନିଜ ପ୍ରତିରକ୍ଷା ସଂପର୍କିତ ଏକ ଶ୍ୱେତପତ୍ର ପ୍ରକାଶ କରିଛି। ‘ଚୀନ୍‌’ସ୍‌ ନ୍ୟାସନାଲ ଡିଫେନ୍ସ ଇନ୍‌ ଦ ନ୍ୟୁ ଏରା’ ଶୀର୍ଷକରେ ପ୍ରକାଶିତ ଏହି ଶ୍ୱେତପତ୍ରରେ ଚୀନ୍‌ ନିଜର ପ୍ରତିରକ୍ଷା ସଂସ୍କାର ସହ ତା’ର ପଡ଼ୋଶୀ ରାଷ୍ଟ୍ରମାନଙ୍କ ସାମରିକ ଚୁକ୍ତି ଓ ସାମରିକ ସଂପର୍କକୁ ନେଇ ସବିଶେଷ ଉଲ୍ଲେଖ କରିଛି।

ଏଥିସହ ଦକ୍ଷିଣ ଏସିଆ ଅଞ୍ଚଳରେ ରହିଥିବା ବିବାଦୀୟ ଅଞ୍ଚଳ ବାବଦରେ ମଧ୍ୟ ଏହି ଶ୍ୱେତପତ୍ରରେ ଆଲୋଚନା କରିଛି ଚୀନ୍‌। ଚୀନ୍‌ କହିଛି ଦକ୍ଷିଣ ଏସିଆ ଅଞ୍ଚଳରେ ମୋଟାମୋଟି ସ୍ଥିତାବସ୍ଥା ବଜାୟ ରହିଥିବା ବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହେଉଥିବା ବିବାଦ ସମୟେ ସମୟେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି କରୁଛି।

The Hindu

ସେହିପରି ବିବାଦୀୟ ଡୋକଲାମ୍‌ ପ୍ରସଙ୍ଗ ସଂପର୍କରେ ମଧ୍ୟ ଏହି ଶ୍ୱେତପତ୍ରରେ ଉଲ୍ଲେଖ କରିଛି ଚୀନ୍‌। ଏବଂ ଏହାକୁ କେନ୍ଦ୍ର କରି ଭାରତ ସହ ସାମରିକ ସଂପର୍କ ତିକ୍ତ ଓ ଉତ୍ତେଜନାପୂର୍ଣ୍ଣ ହୋଇଛି। ତେବେ, ଏହି ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ଚୀନ୍‌ର ସଶସ୍ତ୍ର ବାହିନୀ ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ନେଇ ଅନୁକୂଳ ବାତାବରଣ ସୃଷ୍ଟି କରିଥିବା ପ୍ରକାଶିତ ଶ୍ୱେତପତ୍ରରେ କହିଛି ଚୀନ୍‌।

ଭାରତର ନାମୋଲ୍ଲେଖ ନ କରି, ଚୀନ୍‌ର ସୀମା ମଧ୍ୟକୁ ହେଉଥିବା ଅନୁପ୍ରବେଶ ସହ ସୀମା ଜବରଦଖଲ ଓ ବିଶ୍ୱାସଘାତକୁ ଚୀନ୍‌ର ସଶସ୍ତ୍ର ବାହିନୀ ଅହରହ ପ୍ରହରା ଦେଇ ପ୍ରତିହତ କରିବା ସହ ସୀମାନ୍ତରେ ସ୍ଥିରତା ବଜାୟ ରଖିଛନ୍ତି। ଡୋକଲାମ୍‌ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ଚୀନ୍‌ର ସଶସ୍ତ୍ର ସେନା ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କହିଛି ଚୀନ୍‌।

News Nation

ତେବେ, ଚୀନ୍‌ର ଏହି ପ୍ରତିରକ୍ଷା ସଂପର୍କିତ ଏକ ଶ୍ୱେତପତ୍ରକୁ ନେଇ ଭାରତରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଥିବା ବେଳେ ଏପ୍ରସଙ୍ଗରେ ଭାରତର ପ୍ରତିରକ୍ଷା ବିଭାଗ କିମ୍ବା ବୈଦେଶିକ ବିଭାଗ ପକ୍ଷରୁ ଏଯାବତ୍‌ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ।

ସମ୍ବନ୍ଧିତ ଖବର