ଚୀନ୍-ଆମେରିକା ଉତ୍ତେଜନା ବଢ଼ିଲା: କ୍ଷେପଣାସ୍ତ୍ର ମାଡ଼ରେ ଖସିଲା ଗୁଇନ୍ଦା ବେଲୁନ
ଏଫ୍-୨୨ ଯୁଦ୍ଧ ବିମାନରୁ ସୁପର୍ସୋନିକ କ୍ଷେପଣାସ୍ତ୍ର ପ୍ରୟୋଗ,
ୱାସିଂଟନ: ଆମେରିକାର ସମ୍ବେଦନଶୀଳ ଅଂଚଳରେ ଉଡ଼ୁଥିବା ଚୀନ୍ର ଗୁଇନ୍ଦା ବେଲୁନ୍ (ଏୟାର୍ସିପ୍)କୁ ଆମେରିକା ବାୟୁସେନା କ୍ଷେପଣାସ୍ତ୍ର ମାଡ଼ କରି ଖସାଇ ଦେଇଛି। ଏଫ୍-୨୨ ଯୁଦ୍ଧ ବିମାନରୁ ସୁପର୍ସୋନିକ କ୍ଷେପଣାସ୍ତ୍ର ମାଡ଼ କରି ଏହି ବେଲୁନକୁ ନଷ୍ଟ କରାଯାଇଥିବା ବେଳେ ଏହା ଆଟ୍ଲାଣ୍ଟିକ୍ ସାଗରରେ ପଡ଼ିଥିଲା। ଏହାର ଧ୍ବଂସାବଶେଷ ଠାବ ପାଇଁ ମଧ୍ୟ ଯୁଦ୍ଧସ୍ତରରେ ଅଭିଯାନ ଆରମ୍ଭ ହୋଇଛି। ଆମେରିକା ବାୟୁସେନାର ଏଭଳି ପଦକ୍ଷେପ ପରେ ଚୀନ୍-ଆମେରିକା ଉତ୍ତେଜନା ବୃଦ୍ଧି ପାଇଛି। ‘ଏୟାରସିପ୍କୁ କ୍ଷେପଣାସ୍ତ୍ର ମାରି ନଷ୍ଟ କରିବା ଏକ ଅନ୍ତର୍ଜାତୀୟ ଅପରାଧ ଏବଂ ଆମେରିକା ଏହାର ପରିଣାମ ଭୋଗିବ’ ବୋଲି ଚୀନ୍ ଚେତାବନୀ ଦେଇଛି। ଚୀନ୍ ନିଜର ସ୍ବାର୍ଥରକ୍ଷା ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରିବାରେ ଆଦୌ ପଛଘୁଞ୍ଚା ଦେବନାହିଁ ବୋଲି ଏହାର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ।
ଏଫ୍-୨୨ ଯୁଦ୍ଧ ବିମାନରୁ ସୁପର୍ସୋନିକ କ୍ଷେପଣାସ୍ତ୍ର ପ୍ରୟୋଗ, ଚୀନ୍ର ଧମକ: ବରଦାସ୍ତ କରିବୁନି, ପରିଣାମ ଭୋଗିବ
ଅନ୍ୟପକ୍ଷରେ ଚୀନ୍ର ଗୁଇନ୍ଦା ବେଲୁନକୁ ସଫଳତାର ସହ ଖସାଇ ଦିଆଯିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପାଇଲଟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୌରଶକ୍ତି ଏବଂ କୃତ୍ରିମ ବୁଦ୍ଧିମତା ଦ୍ବାରା ପରିଚାଳିତ ଏହି ଏୟାରସିପ୍ରେ ଅତ୍ୟାଧୁନିକ ଯୋଗାଯୋଗ ଉପକରଣ ଏବଂ ଅତି ଶକ୍ତିଶାଳୀ କ୍ୟାମେରା ଖଞ୍ଜା ଯାଇଥିଲା ଏବଂ ଏହାକୁ ଖସାଇବା ମଧ୍ୟ ଏତେ ସହଜ ନଥିଲା। ଏହା ଆଟ୍ଲାଣ୍ଟିକ ତଟ ଉପରକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସୂଚନାଯୋଗ୍ୟ, ଏହି ବେଲୁନ ନିଜେ ତା’ର ଗତିପଥ ନିଣ୍ଣୟ କରୁଥିବା ବେଳେ ଏହା ମାନବରହିତ ଥିଲା । ବେଲୁନକୁ ନଷ୍ଟ କରିବା ପାଇଁ ଗତକାଲି ରାଷ୍ଟ୍ରପତି ବାଇଡେନ ନିର୍ଦ୍ଦେଶ ଦେବାପରେ ପେଣ୍ଟାଗନ ତତ୍କ୍ଷଣାତ ପ୍ରସ୍ତୁତି ଆରମ୍ଭ କରିଥିଲା ଏବଂ ଏଥିପାଇଁ ଏଫ୍-୨୨ ଯୁଦ୍ଧ ବିମାନରୁ ଏକ ସୁପର୍ସୋନିକ୍ କ୍ଷେପଣାସ୍ତ୍ର ପ୍ରୟୋଗ କରାଯାଇଥିଲା।
ଚୀନ୍ କହିଛି ଯେ ଏୟାର୍ସିପ୍ ମାମଲାରେ ଆମେରିକା ମାତ୍ରାଧିକ ପ୍ରତିକ୍ରିୟା ଦେଖାଇଛି ଏବଂ ଗବେଷଣା ପାଇଁ ଏହା ନିୟୋଜିତ ଥିବା ସ୍ପଷ୍ଟ କରାଯାଇଥିଲେ ବି ଏହାକୁ କ୍ଷେପଣାସ୍ତ୍ର ଦ୍ବାରା ନଷ୍ଟ କରିଛି। ତେବେ ଏହି ଗୁଇନ୍ଦା ବେଲୁନ ଆମେରିକାର ପ୍ରତିରକ୍ଷା ପ୍ରତିଷ୍ଠାନ ଏବଂ ପରମାଣୁ କ୍ଷେପଣାସ୍ତ୍ର ସାଇଟ୍ ଉପରେ ୩ ଦିନ ଧରି ରହିବା ପଛରେ କି କାରଣ ଥିଲା ତାହା ଚୀନ୍ ସ୍ପଷ୍ଟ କରିନାହିଁ। ଅନ୍ୟପକ୍ଷରେ ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ ପକ୍ଷରୁ କୁହାଯାଇଛି ଯେ କୌଣସି ଗୁଇନ୍ଦା ବେଲୁନର ଏଭଳି ଉପସ୍ଥିତିକୁ ଅଧିକ ସମୟ ବରଦାସ୍ତ କରିବା ସମ୍ଭବ ନଥିଲା ଏବଂ ଏହି ବେଲୁନର ଧ୍ବଂସାବଶେଷ ସଂଗ୍ରହ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ଗୁଇନ୍ଦା ବେଲୁନକୁ ଖସାଯିବା ପୂର୍ବରୁ କାରୋଲିନା ତଟରେ ବ୍ୟାପକ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଥିଲା ଏବଂ ଆଖପାଖ ଅଂଚଳରେ ବିମାନ ଉଡ଼ାଣ ବନ୍ଦ ରହିଥିଲା।