ନଭେମ୍ବର ସୁଦ୍ଧା ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହେବ ଚୀନର କରୋନା ଟିକା

ବେଜିଂ : କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବାବେଳେ ଏହି ଭୁତାଣୁର ଉତ୍ପତ୍ତିସ୍ଥଳ ଚୀନରେ ଏବେ କରୋନା ପ୍ରାଦୁର୍ଭାବ ହ୍ରାସ ପାଇସାରିଛି । ଏହାସହିତ ଚୀନ ଏବେ କରୋନା ଟିକା ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ଚୀନ ଦ୍ୱାରା ପ୍ରସ୍ତୁତ କରୋନା ଟିକା ଆସନ୍ତା ନଭେମ୍ବର ସୁଦ୍ଧା ସର୍ବସାଧାରଣଙ୍କ ସେବନ ପାଇଁ ଉପଲବ୍ଧ ହେବ ବୋଲି ଚୀନ ସରକାର ଦାବି କରିଛନ୍ତି ।

ଚୀନର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର (ସିଡିସି)ର ମୁଖ୍ୟ ଗୁଜେନ ୟୁ କହିଛନ୍ତି ଯେ ଏବେ ଚୀନରେ ୪ଟି ଟିକାର ବିକାଶ କରାଯାଉଛି । ସେଗୁଡ଼ିକ ଏବେ ୩ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ସ୍ତରରେ ରହିଛନ୍ତି । ଏହି ଟିକା ଗୁଡ଼ିକର ଫଳାଫଳ ସନ୍ତୋଷଜନକ ରହିଛି । ଏବେ ଟିକାକୁ ଜରୁରୀକାଳୀନ ସେବା କରୁଥିବା କର୍ମଚାରୀମାନଙ୍କୁ ଦିଆଯାଇଛି । ଆଗାମୀ ନଭେମ୍ବର ସୁସ୍ଥା ଟିକାକୁ ସାଧାରଣ ଲୋକଙ୍କୁ ଦିଆଯିବ ।
ଅନ୍ୟପକ୍ଷରେ ସାରା ବିଶ୍ୱରେ ମଙ୍ଗଳବାର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୯୪ ଲକ୍ଷ ଓ ମୃତ୍ୟୁସଂଖ୍ୟା ୯.୩୨ ଲକ୍ଷ ଟପିଯାଇଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୭ ଲକ୍ଷ ଟପିଯାଇଛି । ଆମେରିକା ତଳକୁ ଭାରତ ଓ ବ୍ରାଜିଲ ରହିଛନ୍ତି । ତେବେ ମୃତ୍ୟୁସଂଖ୍ୟା ଦୃଷ୍ଟିରୁ ଆମେରିକା ପ୍ରଥମ ସ୍ଥାନରେ ଥିବାବେଳେ ୨ୟ ସ୍ଥାନରେ ରହିଛି ବ୍ରାଜିଲ । ଏଠାରେ ୧ ଲକ୍ଷ ୩୨ ହଜାର କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।

ସମ୍ବନ୍ଧିତ ଖବର