ଲକଡାଉନରେ ରହି ଅତିଷ୍ଠ ହେଲେଣି ଚୀନ ଲୋକେ, ବ୍ୟାପିଲା ହିଂସା

ବେଜିଂ : ସମଗ୍ର ବିଶ୍ବ କୋଭିଡ ମହାମାରୀରୁ ପ୍ରାୟତଃ ମୁକ୍ତ ହୋଇଯାଇଥିବାବେଳେ ଚୀନରେ ଏବେ ବି କୋଭିଡ୍ ସଂକ୍ରମଣ ବଢିଚାଲିଛି । ଦେଶକୁ କୋଭିଡମୁକ୍ତ କରିବାକୁ ଚୀନ ସରକାର କଠୋର କଟକଣା ଲାଗୁ କରୁଛନ୍ତି । କିନ୍ତୁ ବାରମ୍ବାର କଠୋର ଲକଡାଉନରେ ରହି ରହି ଚୀନର ଲୋକମାନେ ବିରକ୍ତ ହୋଇଗଲେଣି । କଠୋର ଲକଡାଉନ ଓ ସରକାରୀ କର୍ମଚାରୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ସାଧାରଣ ଲୋକମାନେ ରାସ୍ତାକୁ ଓହ୍ଲାଇ ହିଂସାକାଣ୍ଡ କରିବା ଆରମ୍ଭ କରିଛନ୍ତି ।

ମଙ୍ଗଳବାରଦିନ  ଚୀନର ଗୁଆଙ୍ଗଡଙ୍ଗ ସହରରେ ଲୋକମାନେ ସରକାରଙ୍କ କଠୋର କଟକଣା ବିରୋଧରେ ହିଂସାତ୍ମକ ଆନ୍ଦୋଳନକୁ ଓହ୍ଲାଇଥିଲେ । ସେମାନେ ପ୍ରଶାସନ ପକ୍ଷରୁ ଲଗାଯାଇଥିବା ବ୍ୟାରିକେଡକୁ ଭାଙ୍ଗିବା ସହ ରାସ୍ତାରେ ଥିବା ଗାଡ଼ିଗୁଡ଼ିକୁ ଓଲଟାଇ ଦେଇଥିଲେ ।

ଗୁଆଙ୍ଗଡଙ୍ଗର ହାଇଜୁ ଡିଷ୍ଟ୍ରିକ୍ଟରେ ଏହି ଆନ୍ଦୋଳନ ହୋଇଥିବା ଜଣାଯାଇଛି । ଗୋଟିଏ ଟେକ୍ସଟାଇଲ କାରଖାନାରେ କରୋନା ସଂକ୍ରମଣ ବ୍ୟାପିବା ପରେ ପ୍ରଶାସନ ପକ୍ଷରୁ ତାହାକୁ ସିଲ କରିଦିଆଯାଇଥିଲା । ଭିତରେ ଶ୍ରମିକ ଓ କର୍ମଚାରୀମାନେ ଥିଲେ ବି ତାହାକୁ ବନ୍ଦ କରିଦିଆଯାଇଥିଲା । ସେମାନଙ୍କୁ କାମ କରିବାକୁ ଅନୁମତି ଦିଆଯାଉନଥିବା କିମ୍ବା ଦରମା ଦିଆଯାଉନଥିଲା । ସେମାନଙ୍କୁ ମଧ୍ୟ ଖାଦ୍ୟ ଓ ଔଷଧ ଦିଆଯାଉନଥିଲା । ଏଥିରେ ଅତିଷ୍ଠ ହୋଇ ସେମାନେ ଆନ୍ଦୋଳନ କରିଥିବା କୁହାଯାଉଛି ।

କେବଳ ଗୁଆଙ୍ଗଡଙ୍ଗ ନୁହେଁ, ଚୀନର ଅତିକମରେ ୫ଟି ସ୍ଥାନରେ ଏପରି ହିଂସାତ୍ମକ ଆନ୍ଦୋଳନ ହୋଇଥିବା ହଂକଂ ଖବରକାଗଜ ସାଉଚ ଚାଇନା ମର୍ଣ୍ଣିଂ ପୋଷ୍ଟ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି ।

 

ସମ୍ବନ୍ଧିତ ଖବର