ପରିଣତି ଭୋଗିବାକୁ ପ୍ରସ୍ତୁତ ରହୁ ଆମେରିକା : ଚୀନର ଯୁଦ୍ଧ ଧମକ

ବେଜିଂ : ଆମେରିକା ସାଂସଦ ନାନସୀ ପେଲୋସିଙ୍କ ତାଇଓ୍ବାନ ଗସ୍ତ ଆରମ୍ଭ ହେବା ପରେ ତାହାକୁ ନେଇ ଚୀନ କଡ଼ା ପ୍ରତିକ୍ରିୟା ରଖିଛି । ଚୀନ ପକ୍ଷରୁ ଆମେରିକୀୟ ସାଂସଦଙ୍କ ଗସ୍ତକୁ ନିନ୍ଦା କରି କୁହାଯାଇଛି ଯେ, ଏହାର ପରିଣତି ଆମେରିଆ ଓ ତାଇଓ୍ବାନ ଭୋଗିବେ । ନିଜର ଅଖଣ୍ଡତା ବଜାୟ ରଖିବାକୁ ଚୀନ ସବୁପ୍ରକାର ପଦକ୍ଷେପ ଗ୍ରହଣ କରିବ ।

ଏହା ସହିତ ଚୀନ ପକ୍ଷରୁ ତାଇଓ୍ବାନ ଉପକୂଳରେ ଏକ ବୃହତ ସମରାଭ୍ୟାସ କରିବାକୁ ଘୋଷଣା କରାଯାଇଛି । ତାଇଓ୍ବାନକୁ ଘେରି ରହିଥିବା ୬ଟି ଅଂଚଳରେ ଏହି ସମରାଭ୍ୟାସ କରାଯିବ । ଏଥିରେ ଚୀନର ନୌସେନା ଓ ବାୟୁସେନା ଯୋଗ ଦେବେ । ଅନ୍ୟପକ୍ଷରେ ତାଇଓ୍ବାନଉପରେ ଏକ ସୀମିତ ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ ଚୀନ ପ୍ରସ୍ତୁତ ହେଉଛି ।

ଅନ୍ୟପକ୍ଷରେ ତାଇଓ୍ବାନକୁ ସୁରକ୍ଷା ଦେବାକୁ ଆମେରିକା ନିଜ ସାମରିକ ବାହିନୀକୁ ପ୍ରସ୍ତୁତ ରଖିଛି । ପେଲୋସିଙ୍କ ଗସ୍ତକୁ ଏକ ବିବାଦ ରୂପ ନ ଦେବାକୁ ଆମେରିକା ପୂର୍ବରୁ ଚୀନକୁ ଚେତାବନୀ ଶୁଣାଇସାରିଛି ।

ମଙ୍ଗଳବାରଦିନ ଭାରତୀୟ ସମୟ ସଂଧ୍ୟା ୮ଟା ୨୦ ମିନିଟ ସମୟରେ ପେଲୋସି ଓ ଆମେରିକୀୟ କଂଗ୍ରେସର ଏକ ପ୍ରତିନିଧିମଣ୍ଡଳ ତାଇପେଇର ସୋଙ୍ଗସାନ ଏୟାରପୋର୍ଟରେ ପହଞ୍ଚିଥିଲେ  ପେଲୋସୀଙ୍କ ଏହି ଗସ୍ତ ସହ ୧୯୯୭ ପରେ ପ୍ରଥମ ଥର ପାଇଁ କୌଣସି ଆମେରିକୀୟ ଜନ ପ୍ରତିନିଧି ତାଇଓ୍ବାନ ଗସ୍ତ କରିଛନ୍ତି । ୧୯୯୭ରେ ଆମେରିକୀୟ ସାଂସଦ ନ୍ୟୁଟ୍ ଗିଙ୍ଗରିଚ ତାଇଓ୍ବାନ ଗସ୍ତ କରିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ବୁଧବାରଦିନ ପେଲୋସି ତାଇଓ୍ବାନର ରାଷ୍ଟ୍ରପତି,ତାଇଓ୍ବାନ ସଂସଦର ବାଚସ୍ପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

 

ସମ୍ବନ୍ଧିତ ଖବର