ଭାରତ ସହ ସୀମା ବିବାଦକୁ ଜାରି ରଖିବାକୁ ଚାହୁଁଛି ଚୀନ : ସେନାଧ୍ୟକ୍ଷ ମନୋଜ ପାଣ୍ଡେ

ନୂଆଦିଲ୍ଲୀ : ଭାରତ ସହ ଚାଲିଥିବା ସୀମା ବିବାଦର ସ୍ଥାୟୀ ସମାଧାନ ଚାହୁଁନାହିଁ ଚୀନ । ଯେକୌଣସି ମତେ ସୀମା ବିବାଦକୁ ଜାରି ରଖିବାକୁ ବେଜିଂ ଚାହୁଁଛି ବୋଲି କହିଛନ୍ତି ଭାରତର ସେନାଧ୍ୟକ୍ଷ ଜେନେରାଲ ମନୋଜ ପାଣ୍ଡେ ।

ତେବେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ମୁତୟନ ଥିବା ଭାରତୀୟ ସୈନିକମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ଓ ସ୍ଥିତାବସ୍ଥା ଦୂର କରିବାକୁ ହେଉଥିବା ଯେକୌଣସି ପ୍ରକାରର ଉଦ୍ୟମକୁ ଦୃଢତାର ସହିତ ପ୍ରତିହତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ତାଙ୍କର ଲକ୍ଷ୍ୟ ହେଉଛି ଏଲଏସିର ସ୍ଥିତିକୁ ୨୦୨୦ ପୂର୍ବ ସ୍ଥିତିକୁ ଫେରାଇ ନେବା ଓ ସେଠାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା । କିନ୍ତୁ କେବଳ ଗୋଟିଏ ପକ୍ଷର ଉଦ୍ୟମ ଦ୍ବାରା ଏହା ସମ୍ଭବ ହେବ ନାହିଁ ।

୨୦୨୦ ଜୁନ ମାସରେ ଗଲଓ୍ବାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ଘଟି ୨୦ ଭାରତୀୟ ସୈନ୍ୟ ସହିଦ ହୋଇଥିବାବେଳେ ମାତ୍ର ୪ ଜଣ ସୈନ୍ୟ ମରିଥିଲେ ବୋଲି ଚୀନ ଦାବି କରୁଛି । ଏହି ସଂଘର୍ଷ ପରେ ଉଭୟ ପକ୍ଷ ଏଲଏସିର ବିଭିନ୍ନ ଅଞ୍ଚଳରେ ଅଧିକ ସଂଖ୍ୟକ ସେନା ମୁତୟନ କରିଥିଲେ । ଏହା ଫଳରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଯାଇଥିଲା । ପରେ କେତେକ ବିବାଦୀୟ ଅଞ୍ଚଳରୁ ଉଭୟ ଦେଶ ସେନା ପ୍ରତ୍ୟାହାର କରିଥିଲେ ବି ଏବେ ବି କେତେକ ଅଞ୍ଚଳରେ ଉଭୟ ଦେଶର ସୈନ୍ୟ ମୁତୟନ ଅଛନ୍ତି ।

ସମ୍ବନ୍ଧିତ ଖବର