ନାଗରିକଙ୍କୁ ସତର୍କ କଲା ଚୀନ୍‌

ସିପିଇସିରେ ମହାସଙ୍କଟ

ନୂଆଦିଲ୍ଲୀ/ଇସଲାମାବାଦ: ଚୀନ୍‌ ପାକିସ୍ତାନ ଅର୍ଥନୈତିକ କରିଡର(ସିପିଇସି) ଅନ୍ତର୍ଗତ ପାକିସ୍ତାନରେ ହେବାକୁ ଥିବା ୩ଟି ରାସ୍ତା ପ୍ରକଳ୍ପର ଅନୁଦାନ ବନ୍ଦ କରିବାକୁ ଚୀନ ଘୋଷଣା କରିବା ପରେ ଏହି ପ୍ରକଳ୍ପକୁ ନେଇ ସଙ୍କଟ ବଢ଼ିବାରେ ଲାଗିଛି। ଚୀନ୍‌ ବିରୋଧରେ ବାଲୁଚିସ୍ତାନରେ ପ୍ରବଳ ଜନ ଅସନ୍ତୋଷ ଲାଗି ରହିଥିବାରୁ ଏହି ଅଂଚଳକୁ ସିପିଇସିରୁ ବାଦଦେବାକୁ ଚୀନ୍‌ ଯୋଜନା କରୁଛି। ବନ୍ଧୁକ ମୁନରେ ଜମି ଅକ୍ତିଆର ହୋଇଥିବାରୁ ସ୍ଥାନୀୟ ଲୋକେ ସିପିଇସିକୁ ଭଣ୍ଡୁର କରିବା ପାଇଁ ସଂକଳ୍ପ ନେଇଛନ୍ତି। ଲୋକେ ମେଳି ବାନ୍ଧି ପ୍ରକଳ୍ପ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ପାକ୍‌ ସରକାରଙ୍କ ସଙ୍କଟ ବଢ଼ିବାରେ ଲାଗିଛି। ଯେ କୌଣସି ମୁହୂର୍ତ୍ତରେ ବାଲୁଚିସ୍ତାନକୁ ସିପିଇସିରୁ ଅଲଗା କରିବା ପାଇଁ ଘୋଷଣା ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଚୀନ୍‌ ବିରୋଧୀ ଅସନ୍ତୋଷ ବଢ଼ୁଥିବାରୁ ଏହି ପ୍ରକଳ୍ପର ବିଭିନ୍ନ ନିର୍ମାଣସ୍ଥଳରେ ଚୀନ୍‌ର ଶ୍ରମିକ କର୍ମଚାରୀଙ୍କ ଉପରେ ଆକ୍ରମଣ ଆଶଙ୍କା ବଢ଼ିଯାଇଛି। ଆତଙ୍କବାଦୀମାନେ ନିର୍ମାଣ ସ୍ଥଳରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ନେଇ ଗୁଇନ୍ଦା ତଥ୍ୟ ଆଧାରରେ ଆଜି ଚୀନ୍‌ ନିଜ ଶ୍ରମିକ କର୍ମଚାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ ବନ୍ଦ ରଖିବାକୁ ମଧ୍ୟ କୁହାଯାଇଛି। ପାକିସ୍ତାନ ପୁଲିସ ଏବଂ ସେନାକୁ ଚୀନ୍‌ ନାଗରିକମାନେ ସହଯୋଗ କରିବାକୁ ମଧ୍ୟ କୁହାଯାଇଛି। ଜରୁରୀ ପରିସ୍ଥିତିରେ ଇସ୍‌୍‌ଲାମାବାଦ ସ୍ଥିତ ଚୀନ୍‌ ଦୂତାବାସ ସହ ତୁରନ୍ତ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ଚୀନ୍‌ର ଏଭଳି କଠୋର ଆଭିମୁଖ୍ୟ ପାକିସ୍ତାନକୁ ମଧ୍ୟ ଦ୍ୱନ୍ଦ୍ୱରେ ପକାଇ ଦେଇଛି। ଚୀନ୍‌ ସହାୟତାରେ ଛଅ ହଜାର କୋଟି ଡଲାରର ସିପିଇସିରୁ ପର୍ଯ୍ୟାପ୍ତ ଫାଇଦା ଉଠାଇବାକୁ ଯୋଜନା କରିଥିବା ପାକିସ୍ତାନ ପାଇଁ ଏହା ବଡ଼ ଝଟ୍‌୍‌କା ହୋଇଛି। ସିପିଇସିର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ଭିତ୍ତିରେ ଚୀନ୍‌ ତାହାର ଅନୁଦାନ କାଟ କରିଥିବା ବେଳେ ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ସନ୍ଦେହ ଓ ବିବାଦ ବଢ଼ିବାରେ ଲାଗିଛି। ପାକିସ୍ତାନର ଅଧିକାରୀ, ଯନ୍ତ୍ରୀ ଓ ନେତାମାନଙ୍କୁ ଚୀନ୍‌ ଭରସାକୁ ନେଉନଥିବା ବେଳେ ପାକିସ୍ତାନ ସରକାର ପ୍ରକଳ୍ପ କାର୍ଯ୍ୟକାରିତା ଅପେକ୍ଷା ଚୀନ୍‌ର ଅନୁଦାନ ଉପରେ ହିଁ ଅଧିକ ଗୁରୁତ୍ୱ ଦେଉଛନ୍ତି। କିଛି ଦିନ ତଳେ ପାକ୍‌ ଅଧିକୃତ କଶ୍ମୀରରେ ଏକ ନଦୀବନ୍ଧ ଯୋଜନା ପାଇଁ ଚୀନ୍‌ ଅନୁଦାନ ଦେବାକୁ ମନାକରିବା ପରେ ପାକିସ୍ତାନର ଗ୍ଵାଦର ବନ୍ଦର ପ୍ରକଳ୍ପରେ ଚୀନ୍‌ ମୁଦ୍ରା ବିନିଯୋଗକୁ ପାକିସ୍ତାନ ବିରୋଧ କରିଥିଲା। ଏହାପରେ ଚୀନ୍‌ ତିନିଟି ପ୍ରକଳ୍ପର ଅନୁଦାନ ବନ୍ଦ କରିବା ପରେ ସିପିଇସିକୁ ନେଇ ଅନିଶ୍ଚିତତା ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର