ଭାରତ ସହ ବନ୍ଧୁତା ପାଇଁ ଭିଏତନାମକୁ ଚୀନ୍‌ର ଧମକ

ପେଇଚିଙ୍ଗ: ଭିଏତ୍‌ନାମ ସୀମାରେ ଥିବା ଦକ୍ଷିଣ ଚୀନ୍‌ ସାଗରରେ ଭାରତୀୟ ପୁଞ୍ଜିନିବେଶ ପ୍ରସ୍ତାବକୁ ନେଇ ଚୀନ୍‌ କ୍ଷୁବ୍ଧ ହୋଇଛି। ଦକ୍ଷିଣ ଚୀନ୍‌ ସାଗରରେ ସବୁବେଳେ ନିଜର ଆଧିପତ୍ୟ ବିସ୍ତାର କରି ଆସିଥିବା ଚୀନ୍‌ ଭିଏତ୍‌ନାମକୁ ଧମକ ଦେଇ କହିଛି ଯେ, କଥା ନମାନିଲେ ପରିଣାମ ଭୟଙ୍କର ହେବ। ଦକ୍ଷିଣ ଚୀନ୍‌ ସାଗରର ଭିଏତ୍‌ନାମ ସୀମାରେ ବାଣିଜ୍ୟ ଓ ଶକ୍ତି କ୍ଷେତ୍ରର ବିକାଶ ପାଇଁ ଭାରତର ପୁଞ୍ଜିନିବେଶକୁ ଭିଏତ୍‌ନାମ ସ୍ୱାଗତ କରିବ ବୋଲି ଭିଏତ୍‌ନାମ ରାଷ୍ଟ୍ରଦୂତ ଟୋନ୍‌ ସିନ୍‌ ଥାନ୍‌ ଗଣମାଧ୍ୟମକୁ ବିବୃତି ଦେଇଛନ୍ତି। ଟୋନ୍‌ ସିନ୍‌ ଥାନ୍‌ଙ୍କ ଏହି ମନ୍ତବ୍ୟ ପରେ ଚୀନ୍‌ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଲୁ କାଙ୍ଗ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ପଡୋଶୀ ଦେଶଙ୍କ ମଧ୍ୟରେ ସ୍ୱାଭାବିକ ସମ୍ପର୍କକୁ ଚୀନ୍‌ ବିରୋଧ କରେ ନାହିଁ, ମାତ୍ର ଦକ୍ଷିଣ ଚୀନ୍‌ ସାଗରରେ କେବଳ ଚୀନ୍‌ର ହିଁ ଅଧିକାର ରହିଛି। ଭିଏତ୍‌ନାମ ରାଷ୍ଟ୍ରଦୂତ ଟୋନ୍‌ ସିନ୍‌ ଥାନ୍‌ କହିଛନ୍ତି ଯେ ଆମେ ସହଯୋଗ ଓ ସହଭାଗିତା ବଢ଼ାଇବାକୁ ଚାହୁଛୁ ଏବଂ ଏ ଦିଗରେ ଯଥାରୀତି କାର୍ଯ୍ୟ କରିବୁ। ଗତ କିଛି ବର୍ଷ ହେବ ଭାରତୀୟ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ କର୍ପୋରେସନ (ଓଏନ୍‌ଜିସି) ସହାୟତାରେ ଭିଏତ୍‌ନାମ ସୀମାରେ ଥିବା ଦକ୍ଷିଣଚୀନ୍‌ ସାଗରରୁ ତୈଳ ଉତ୍ତୋଳନ ପାଇଁ ଚୀନ୍‌ ବିରୋଧ କରିଆସୁଛି।

ସମ୍ବନ୍ଧିତ ଖବର