ଭାରତକୁ ଚୀନ୍‌ର ଚେତାବନୀ: ଡୋକଲାମ୍‌ ବିବାଦରୁ ଶିକ୍ଷା ନିଅ

ବେଜିଂ: ଭାରତ ଓ ଚୀନ୍‌ ମଧ୍ୟରେ ଲାଗି ରହିଥିବା ଦୀର୍ଘ ୭୩ ଦିନର ଡୋକଲାମ୍‌ ବିବାଦର ସମାଧାନ ହୋଇଥିବା ସତ୍ତ୍ୱେ ଦୁଇ ଦେଶ ମଧ୍ୟରେ ଏହାକୁ ନେଇ ଶୀତଳ ଯୁଦ୍ଧ ଲାଗି ରହିଛି। ଆଜି ଚୀନ୍‌ ପୁଣିଥରେ ଡୋକଲାମ୍‌ ସ୍ଥିତାବସ୍ଥା ପ୍ରସଙ୍ଗରେ ଭାରତକୁ ଚେତାବନୀ ଦେଇ କହିଛି ଡୋକଲାମ୍‌ ବିବାଦ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ଏକ ପ୍ରମୁଖ ପରୀକ୍ଷାରେ ପରିଣତ ହୋଇଛି ଏବଂ ଭବିଷ୍ୟତରେ ଏମିିତି ପରିସ୍ଥିତିରୁ ଦୂରେଇ ରହିବାଲାଗି ଭାରତ ଶିକ୍ଷା ଗ୍ରହଣ କରିବା ଉଚିତ୍‌ ବୋଲି ଚୀନ୍‌ କହିଛି। ନୂଆଦିଲ୍ଲୀରେ ଆସନ୍ତା ସପ୍ତାହରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଚୀନର ଷ୍ଟେଟ୍‌ କାଉନସିଲର ୟାଙ୍ଗ୍‌ ଜିଏଚିଙ୍କ ମଧ୍ୟରେ ୨୦ତମ ଭାରତ-ଚୀନ୍‌ ସୀମା ସଂକ୍ରାନ୍ତ ଆଲୋଚନା ହେବାକୁ ଯାଉଛି।

ଏହି ଆଲୋଚନା ଡିସେମ୍ବର ୨୨ ତାରିଖରେ ହେବାର ଥିଲେ ସୁଦ୍ଧା ଏଯାବତ୍‌ ସରକାରୀ ଭାବେ କୌଣସି ତାରିଖ ଘୋଷଣା ହୋଇନାହିଁ। ତେବେ ଏହି ଆଲୋଚନା ଉଭୟ ଭାରତ ଏବଂ ଚୀନ୍‌ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହାଇଛି । କାରଣ ଗତ ଅଗଷ୍ଟ ୨୮ ତାରିଖରେ ୭୩ ଦିନର ଡୋକଲାମ ବିବାଦର ଅବସାନ ଘଟିବାପରେ ଏହା ଦୁଇପକ୍ଷ ମଧ୍ୟରେ ପ୍ରଥମ ପ୍ରତିନିଧିସ୍ତରୀୟ ଆଲୋଚନା। ଏ ସଂକ୍ରାନ୍ତରେ ଚୀନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ହୁଆ ଚୁନିଙ୍ଗ ଗଣମାଧ୍ୟମରେ କହିଛନ୍ତି ଯେ ଏହି ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ବୈଠକ କେବଳ ସୀମା ସଂକ୍ରାନ୍ତୀୟ ଆଲୋଚନା ପାଇଁ ଏକ ଉଚ୍ଚ ସ୍ତରୀୟ ଚ୍ୟାନେଲ ନୁହେଁ ବରଂ ଏହା ରଣନୀତିକ ଯୋଗାଯୋଗ ପାଇଁ ଏକ ଶ୍ରେଷ୍ଠ ଉପାୟ।
ଏହି ଅବସରରେ ଉଭୟ ପକ୍ଷ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରିପାରିବେ ବୋଲି ସେ କହିଛନ୍ତି। ୨୦୧୭ ମସିହାରେ ଡୋକଲାମ ଘଟଣା ଦୁଇଦେଶ ପାଇଁ ବଡ଼ ପରୀକ୍ଷାରେ ପରିଣତ ହୋଇଛି ଏବଂ ଆଗକୁ ଏଭଳି ପରିସ୍ଥିତି ନଉପୁଜିବାପାଇଁ ଆମେମାନେ ଏଥିରୁ ଶିକ୍ଷା ଗ୍ରହଣ କରିବା ଉଚିତ୍‌ ବୋଲି ହୁଆ କହିଛନ୍ତି। ତେବେ ପରୋକ୍ଷରେ ହୁଆ ଭାରତକୁ ହିଁ ଚେତାବନୀ ଦେଇଛନ୍ତି। ଭୁଟାନ୍‌ ଅଞ୍ଚଳରେ ଚୀନ୍‌ର ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ଜୁନ୍‌ ୧୬ ତାରିଖରେ ଆରମ୍ଭ ହୋଇଥିବା ଡୋକଲାମ୍‌ ବିବାଦ ଅଗଷ୍ଟ ୨୮ ତାରିଖରେ ଉଭୟ ଭାରତ ଏବଂ ଚୀନ୍‌ ମଧ୍ୟରେ ଆପୋଷ ବୁଝାମଣା ଦ୍ୱାରା ସମାଧାନ ହୋଇଥିଲା।

ସମ୍ବନ୍ଧିତ ଖବର