ନୂଆଦିଲ୍ଲୀ: ଚୀନ୍ର ଆଭ୍ୟନ୍ତରୀଣ ବ୍ୟାପାରରେ ଯିଏ ହସ୍ତକ୍ଷେପ କରିବ ଚୀନ୍ ତାକୁ କଡ଼ା ଜବାବ ଦେବ। ବ୍ରିଟେନ୍ର ହଂକଂ ନିଷ୍ପତ୍ତି ପ୍ରସଙ୍ଗରେ ଚୀନ୍ ବ୍ରିଟେନ୍କୁ ଏଭଳି କଡ଼ା ବାର୍ତ୍ତା ଶୁଣାଇ ଦେଇଛି। ବ୍ରିଟେନ୍ ହଂକଂ ସହ ଏହାର ପ୍ରତ୍ୟର୍ପଣ ଚୁକ୍ତି ବାତିଲ କରିବ ବୋଲି ଘୋଷଣା କରିବାପରେ ଚୀନ୍ ଏଭଳି କହିଛି। ଚୀନ୍ ଦୁତାବାସର ମୁଖପାତ୍ର କହିଛନ୍ତି, ବ୍ରିଟେନ୍ ବାରମ୍ବାର ଅନ୍ତର୍ଜାତୀୟ ଆଇନ ଏବଂ ଆନ୍ତର୍ଜାତୀୟ ସମ୍ପର୍କ ନେଇ ନୀତି ନିୟମର ଉଲ୍ଲଂଘନ କରୁଛି ।
ତେବେ ବ୍ରିଟେନ୍ ଯଦି କ୍ରମାଗତ ଭାବେ ଭୁଲ୍ ବାଟରେ ଯାଏ ତେବେ ପରିଶେଷରେ ଏହାକୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚୀନ୍ ମୁଖପାତ୍ର ଚେତାଇ ଦେଇଛନ୍ତି। ପ୍ରତ୍ୟର୍ପଣ ଚୁକ୍ତି ବାତିଲ ଚୀନ୍ ବ୍ୟାପାରରେ ଏକ ଅବାଧ୍ୟ ହସ୍ତକ୍ଷେପ ଏବଂ ଏହା ଆନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରୁଛି। ଉଲ୍ଲେଖଯୋଗ୍ୟ ଗତକାଲି ବ୍ରିଟେନ୍ ବିଦେଶ ସଚିବ ଡୋମିନିକ୍ ରାବ୍ ଘୋଷଣା କରି କହିଥିଲେ ଯେ, ତାଙ୍କ ସରକାର ଅଷ୍ଟ୍ରେଲିଆ, କାନାଡ଼ା ଏବଂ ଆମେରିକାକୁ ଅନୁକରଣ କରିବ ଏବଂ ହଂକଂ ସହ ଏହାର ପ୍ରତ୍ୟର୍ପଣ ଚୁକ୍ତି ବାତିଲ କରିବ। ଏହାର କଡ଼ା ଜବାବ ଦେଇ ଲଣ୍ଡନ୍କୁ ଚୀନ୍ର ଆମ୍ବାସାଡର ଲିଉ ଜାଓମିଙ୍ଗ୍ କହିଛନ୍ତି, ଚୀନ୍ କେବେ ବି ବ୍ରିଟେନ୍ର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିନି। ତେଣୁ ବ୍ରିଟେନ୍ ବି ସମାନ ନୀତି ଅନୁସରଣ କରିବା ଉଚିତ୍।