ଆମେରିକାକୁ ଚୀନ୍‌ର ଚେତାବନୀ : ଉଇଘର ଆଇନରେ ସ୍ବାକ୍ଷର କରିବାର ପରିଣାମ ଭୋଗିବ

ବେଜିଂ : ଚୀନ୍‌ର ଜିଜିଆଙ୍ଗ ଅଞ୍ଚଳରେ ଉଇଘର ଓ ଅନ୍ୟ ମୁସଲିମ୍ ସଂଖ୍ୟାଲଘୁମାନଙ୍କୁ ଚୀନ୍ ସରକାର ଗଣବନ୍ଦୀ କରି ରଖିବା ବିରୋଧରେ ଆମେରିକା ସ୍ବର ଉତ୍ତୋଳନ କରି ଏକ ଆଇନ ପ୍ରଣୟନ କରିବା ଘଟଣାରେ ଜିନ୍ପିଙ୍ଗ୍ ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହାଦ୍ବାରା ସୃଷ୍ଟ ଯାବତୀୟ ପରିଣାମ ଆମେରିକାକୁ ଭୋଗିବାକୁ ହେବ ବୋଲି ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି। ଆମେରିକାର ଏଭଳି ଆଇନ ଚୀନ୍‌ର ଆଭ୍ୟନ୍ତରୀଣ ମାମଲାରେ ଅଯଥା ହସ୍ତକ୍ଷେପ ବୋଲି ଚୀନ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କ୍ଷୋଭ ପ୍ରକାଶ କରାଯିବା ସହ ଆମେରିକା କରିଥିବା ତ୍ରୁଟିକୁ ତୁରନ୍ତ ସୁଧାରିନେଉ ବୋଲି ସତର୍କ କରାଇ ଦିଆଯାଇଛି।

ସୂଚନାଯୋଗ୍ୟ, ସାମାଜିକ କର୍ମୀମାନଙ୍କ ଅଭିଯୋଗ ଅନୁସାରେ, ଜିଜିଆଙ୍ଗ ଅଞ୍ଚଳରେ ଚୀନ୍ କର୍ତ୍ତୃପକ୍ଷ ୧୦ ଲକ୍ଷ ପାଖାପାଖି ଉଇଘର ମୁସଲିମ୍‌ ଓ ଅନ୍ୟ ତୁର୍କୀ ମୁସ୍‌ଲିମ୍‌ଙ୍କୁ ଅଟକ ରଖିବା ସହ ନିଜ ସଂସ୍କୃତି ଛାଡ଼ିବାକୁ ବଳପୂର୍ବକ ସେମାନଙ୍କୁ ବାଧ୍ୟ କରାଯାଉଛି। ଏପରିକି ମୁସ୍‌ଲିମ ରୀତିନୀତି ପାଳନ କଲେ ସେମାନଙ୍କୁ ଅକଥନୀୟ ଅତ୍ୟାଚାର କରାଯାଉଛି। ତେବେ ସେମାନଙ୍କୁ ଏପରି ଗଣବନ୍ଦୀ କରି ରଖିବା ଜିନ୍‌ପିଙ୍ଗ୍‌ ସରକାରଙ୍କ ସଂଖ୍ୟାଲଘୁ ସମ୍ପ୍ରଦାୟ ପ୍ରତି ବିଦ୍ବେଷାତ୍ମକ ଆକ୍ରମଣ ବୋଲି ଆମେରିକା ଅଭିଯୋଗ କରି ଆସିବା ସହ ଉଇଘର ମାନବିକ ଅଧିକାର ଆଇନ ନାମକ ଏକ ନୂତନ ଆଇନରେ ବୁଧବାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍ ସ୍ବାକ୍ଷର କରିଥିଲେ। ଏହି ଆଇନ ବଳରେ ଚୀନ୍‌ରେ ଉଇଘର ମୁସ୍‌ଲିମମାନଙ୍କୁ ଏପରି ଅଟକ ରଖି ନିର୍ଯାତନା ଦେବା ପଛରେ ପ୍ରମୁଖ ଭୂମିକା ଥିବା ଦାୟୀ ଚୀନୀ ଅଧିକାରୀମାନଙ୍କୁ ଆମେରିକା ଖୋଜି ବାହାର କରିବ। ଫଳସ୍ବରୂପ, ଆମେରିକାରେ ରହିଥିବା ସଂପୃକ୍ତ ଚୀନୀ ଅଧିକାରୀଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତ କରାଯିବ ଏବଂ ସେମାନଙ୍କୁ ଆଉ ଆମେରିକାରେ ପ୍ରବେଶ ଅନୁମତି ମିଳିବନି ବୋଲି ଉକ୍ତ ଆଇନରେ ପ୍ରାବଧାନ ରହିଛି। ତେବେ ଆମେରିକାର ଏଭଳି ଆଭିମୁଖ୍ୟ ପାଇଁ କଠୋର ପରିଣାମ ଭୋଗିବାକୁ ହେବ ବୋଲି ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ଚେତାବନୀ ଦେଇଛି। ସ୍ମରଣଯୋଗ୍ୟ, ସଂଖ୍ୟାଲଘୁ ଉଇଘରମାନଙ୍କୁ ଶିବିରରେ ଅଟକ ରଖିବା ଘଟଣାରେ ଟ୍ରମ୍ପ୍ କୁଆଡ଼େ ଜିନ୍ ପିଙ୍ଗ୍‌ଙ୍କୁ ସମର୍ଥନ କରିଥିଲେ ବୋଲି ପ୍ରାକ୍ତନ ବୈଦେଶିକ ପରାମର୍ଶଦାତା ବୋଲ୍‌ଟନ୍‌ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଥିବା ଘଟଣା ପଦାକୁ ଆସିବା ପରେ ଟ୍ରମ୍ପ୍ ତରବରିଆ ଭାବେ ଏଭଳି ବିବାଦୀୟ ଆଇନରେ ସ୍ବାକ୍ଷର କରିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର